ଦ୍ୱିତୀୟ ପ୍ରୟାସରେ ଓସିଏସ୍ ସଫଳତା : ଲଇକେରାର ରାହୁଲଙ୍କ କୃତିତ୍ୱରେ ଜିଲ୍ଲା ଗର୍ବିତ
Rahul gets ocs in 2nd attempt
ଦ୍ୱିତୀୟ ପ୍ରୟାସରେ ଓସିଏସ୍ ସଫଳତା : ଲଇକେରାର ରାହୁଲଙ୍କ କୃତିତ୍ୱରେ ଜିଲ୍ଲା ଗର୍ବିତ


ଝାରସୁଗୁଡ଼ା, ୨୮ ମେ (ହି.ସ.) - ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ପରୀକ୍ଷାରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସାହସପୁର ଗ୍ରାମର ରାହୁଲ ରାଜହଂସ ସଫଳତା ହାସଲ କରି ଅଂଚଳ ପାଇଁ ଗୌରବ ଆଣିଛନ୍ତି। ମାତ୍ର ୨୭ ବର୍ଷ ବୟସରେ ସେ ଏହି ସଫଳତା ଅର୍ଜନ କରି ସମଗ୍ର ଜିଲ୍ଲାରେ ପ୍ରଶଂସାର ପାତ୍ର ହୋଇଛନ୍ତି।

ଚଳିତ ଓସିଏସ୍ ପରୀକ୍ଷାରେ ସମଗ୍ର ରାଜ୍ୟରୁ ୨୦୦ ଜଣ ପ୍ରାର୍ଥୀ କୃତିତ୍ୱ ହାସଲ କରିଥିବାବେଳେ ରାହୁଲ ୧୪୮ତମ ରେଙ୍କ ଅଧିକାର କରିଛନ୍ତି। ତାଙ୍କ ପିତା ସୁଶାନ୍ତ ରାଜହଂସ ଜଣେ ଚାଷୀ ଓ ମାତା ଜାହ୍ନବୀ କଂସରାଳୀ ନାଏକବନ୍ଧପାଲି ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ପରିବାରର ଏକମାତ୍ର ପୁଅ ରାହୁଲଙ୍କ ବଡ଼ଭଉଣୀ ପ୍ରତିମା ରାଜହଂସ କନ୍ଧମାଳ ଜିଲ୍ଲାରେ ଏଆରଆଇ ଭାବେ କାର୍ଯ୍ୟ କରୁଛନ୍ତି।

ରାହୁଲ ଆରମ୍ଭରୁ ଜଣେ ମେଧାବୀ ଛାତ୍ର ଥିଲେ। ସେ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ପାକେଲଖୋଲ ହେମସାଗର ହାଇସ୍କୁଲରୁ ମ୍ୟାଟ୍ରିକ୍, ସମ୍ବଲପୁର ଏମ୍ସ କଲେଜରୁ ଯୁକ୍ତ ଦୁଇ ଏବଂ ଭୁବନେଶ୍ୱରସ୍ଥିତ ବିଜେବି ଅଟୋନମସ କଲେଜରୁ ବିଏସ୍ସି ଶିକ୍ଷା ସମାପ୍ତ କରିଥିଲେ।

ଭୁବନେଶ୍ୱରରେ ରହି ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ନିରନ୍ତର ପ୍ରସ୍ତୁତି କରୁଥିଲେ। ଗତବର୍ଷ ପ୍ରଥମ ପ୍ରୟାସରେ କିଛି ମାର୍କ ପାଇଁ ସଫଳତାରୁ ବଂଚିତ ହୋଇଥିଲେ ମଧ୍ୟ ହାର ନମାନି ଚଳିତବର୍ଷ ଦ୍ୱିତୀୟ ପ୍ରୟାସରେ ସଫଳତା ଅର୍ଜନ କରିଛନ୍ତି। ରାହୁଲଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande