
ଜଗତସିଂହପୁର, ୨୮ ମଇ (ହି.ସ.)- ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ ରୁମ୍ ରେ ସିକ୍ରେଟ୍ କ୍ୟାମେରା । ଜଗତସିଂହପୁର ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ୍ କ୍ୟାମେରା ଉଦ୍ଧାର ହୋଇଛି । ତେବେ ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଏଠାରେ ଲଗାଇଥିଲା ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଏନେଇ ତିର୍ତୋଲ ଥାନାରେ ଏତଲା କରାଯାଇଛି । ଏତଲା ପାଇ ପୋଲିସ କ୍ୟାମେରାଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । ଅପରପକ୍ଷେ ଏହି ଘଟଣାକୁ ଜିଲ୍ଲାପରିଷଦ ସଭାପତି ତୀବ୍ର ନିନ୍ଦା କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ପ୍ରକାଶ ଥାଉକି, ଗତ ୨୫ ତାରିଖ ଦିନ ଡିଆରଡିଏର ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା । ତାକୁ ଦେଖି ମହିଳା ଜଣକ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ପରେ ଗତ ୨୬ ତାରିଖ ଦିନ ଏନେଇ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତିର୍ତୋଲ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ତଦନ୍ତ ଚଳାଇଛି । ଡିଆରଡିଏ କାର୍ଯ୍ୟାଳୟର ପହଂଚି ଛାନଭିନ୍ କରିଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ