ଜନପ୍ରତିନିଧୀଙ୍କୁ ଅବହେଳା ନେଇ ବୌଦ୍ଧରେ ଜିଲ୍ଲା ପରିଷଦ ବୈଠକରେ କ୍ଷୋଭ ପ୍ରକାଶ କଲେ ସଦସ୍ୟମାନେ
ଇନଭେଷ୍ଟର ମିଟ୍ ଆୟୋଜନ ଏବଂ ଶ୍ରମଭିତ୍ତିକ ଇଣ୍ଡଷ୍ଟ୍ରି ସ୍ଥାପନ ପାଇଁ ପ୍ରସ୍ତାବଦେଲେ ବିଧାୟକ
ଇନଭେଷ୍ଟର ମିଟ୍ ଆୟୋଜନ ଏବଂ ଶ୍ରମଭିତ୍ତିକ ଇଣ୍ଡଷ୍ଟ୍ରି ସ୍ଥାପନ ପାଇଁ ପ୍ରସ୍ତାବଦେଲେ ବିଧାୟକ


ବୌଦ୍ଧ, ୨୮ ମେ (ହି.ସ.) ଜିଲାର ନିର୍ବାଚିତ ଜନପ୍ରତିନିଧୀଙ୍କୁ ଜିଲା ଉନ୍ନୟନ କାର୍ଯ୍ୟରେ ପ୍ରଶାସନ ଦ୍ୱାରା ଅବହେଳା କରାଯାଉଥିବା ନେଇ ଆଜି ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଂଚାୟତ ଭବନ ସଭାଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଂଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇ ଜିଲା ଉନ୍ନୟନ ନେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବୈଠକରେ ପଂଚଦଶ କେନ୍ଦ୍ର ଓ ପଂଚମ ରାଜ୍ୟ ଅର୍ଥ କମିଶନ ଅନୁଦାନ, ଜିଲ୍ଲା ପରିଷଦ ଉନ୍ନୟନ ଯୋଜନା, ପଂଚାୟତିରାଜ ଏବଂ ଅନ୍ୟାନ୍ୟ ବିଭାଗ ଗୁଡିକର ପ୍ରଗତି ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦାସ ଜିଲ୍ଲାର ସମସ୍ତ ବିଭାଗ ଯଥା କୃଷି ଓ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳ ସମ୍ପଦ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ମହିଳା ଓ ଶିଶୁ କଲ୍ୟାଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି, ଗ୍ରାମ୍ୟ ଉନ୍ନୟନ, ଟେକ୍ସଟାଇଲ୍, ଶ୍ରମ ଓ ନିଯୁକ୍ତି, ଜଙ୍ଗଲ ଓ ପରିବେଶ, ବିଦ୍ୟାଳୟ ଓ ଗଣଶିକ୍ଷା, ମିଶନ ଶକ୍ତି, ପଂଚାୟତିରାଜ ଓ ପାନୀୟଜଳ, ଶକ୍ତି, ପୂର୍ତ ଏବଂ ଶିଳ୍ପ ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟକ୍ରମ ଉପସ୍ଥାପନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସବୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସମୀକ୍ଷାରୁ ମିଳିଥିବା ସୂଚନା ପ୍ରକାରେ ଜିଲ୍ଲାରେ ୮୨୫୬୦ଜଣ କୃଷକ ସିଏମ କିଶାନ ସହାୟତା ଏବଂ ୪୯୫୫୭ଜଣ କୃଷକ ପିଏମ କିଶାନ ସହାୟତା ପାଇଛନ୍ତି । ଆର୍ôଥକ ୨୦୨୫-୨୬ ବର୍ଷରେ ୨୦୦ ଟି ଟ୍ରାକ୍ଟର କୃଷକ ମାନଙ୍କୁ ଯୋଗାଇ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗରେ ୨୩୯ ରୁ ୧୦୦ ଜଣ ଡାକ୍ତର, ୪୩ ଜଣ ସ୍ପେସାଲିଷ୍ଟ ରୁ ୧୯ ଜଣ ଏବଂ ୨୫୮ ଜଣ ରୁ ୯୯ ଜଣ ଷ୍ଟାଫନର୍ସ କାର୍ଯ୍ୟରତ ଅଛନ୍ତି । ଜିଲ୍ଲାରେ ୧୨୨୬ ଉଠାଜଳ ସେଚନ ପ୍ରକଳ୍ପ ଦ୍ୱାରା ୩୦୨୯୦ ହେକ୍ଟର ଜମିକୁ ଜଳ ସେଚନ ସୁବିଧା ଯୋଗାଇ ଦିଆଯାଉଅଛି । ଜିଲ୍ଲାରେ ୫ଗୋଟି ମେଗାଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ଦ୍ୱାରା ୮୯୭୦ ହେକ୍ଟର ଜମିକୁ ଜଳ ସେଚନ ସୁବିଧା ଯୋଗାଇ ଦିଆଯିବ । ବୌଦ୍ଧ ବିଧାୟକ କହିଲେ ଯେ, ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ଅସୁରକ୍ଷିତ ଘର ଗୁଡ଼ିକୁ ଶୀଘ୍ର ଭଙ୍ଗାଯିବା ସହିତ ଏଠାରେ ପାଇପ ଯୋଗେ କିମ୍ବା ନଳକୂପ ମାଧ୍ୟମରେ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ। ଏହା ସହିତ ବୌଦ୍ଧ ସହରର କଳେବର ବୃଦ୍ଧି ପାଉଥିବାରୁ ଅବିରତ ବିଦ୍ୟୁତ ଯୋଗାଣ ପାଇଁ ଏଠାରେ ଏକ ସ୍ୱତନ୍ତ୍ର ଗ୍ରିଡ୍ ବ୍ୟବସ୍ଥା କରାଯିବା, ଜିଲ୍ଲାରେ ରୋଜଗାର ସୃଷ୍ଟି ପାଇଁ ଏକ ଇନଭେଷ୍ଟର ମିଟ୍ ଆୟୋଜନ କରାଯାଇ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଆମନ୍ତ୍ରଣ କରିବା ଏବଂ ଶ୍ରମ ଭିତିକ ଇଣ୍ଡଷ୍ଟ୍ରି ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ । ବିଧାୟକ କଂଟାମାଳ ଶ୍ରୀ ଡାଙ୍ଗ କହିଥିଲେ ଯେ, ବୌଦ୍ଧ ଜିଲ୍ଲାରେ ବହୁ ପରିମାଣରେ କପା ଚାଷ ହେଉଥିବାରୁ ଏଠାରେ କଟନ ଇଣ୍ଡଷ୍ଟ୍ରି ସ୍ଥାପନ ସହ ଇକୋ-ଟୁରିଜମର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏହା ସହିତ ବର୍ଷାଋତୁ ଅବ୍ୟବହିତ ପୂର୍ବରୁ ସମସ୍ତ ରାସ୍ତାଘାଟ ଓ ପାନୀୟଜଳ ଯୋଗାଣ ପ୍ରକଳ୍ପ ଗୁଡିକର କାର୍ଯ୍ୟସମ୍ପନ୍ନ ଓ ମରାମତି ଯଥା ଶୀଘ୍ର ସାରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ବିଧାୟକ ଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ଜନ ପ୍ରତିନିଧି ମାନଙ୍କ ପରାମର୍ଶ ନେବା ସହିତ ଏଥିରେ ସେମାନଙ୍କୁ ସାମିଲ କରିବାପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲାପାଳ “ଏକ ଜିଲ୍ଲା ଏକ ଉତ୍ପାଦ” କ୍ରମରେ ବୌଦ୍ଧ ଜିଲ୍ଲା ପାଇଁ ଏକ ସ୍ୱତନ୍ତ୍ର ଉତ୍ପାଦ ସ୍ଥିର କରିବା ପାଇଁ ଗୃହରେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ କଳ କାରଖାନା ସ୍ଥାପନ କରିବାକୁ ଆଗ୍ରହୀ ଉଦ୍ୟୋଗୀ ମାନଙ୍କୁ ସମସ୍ତ ସୁବିଧା ଅଗ୍ରାଧିକାର ଭିତିରେ ଯୋଗାଇ ଦିଆଯିବ ବୋଲି କହିଥିଲେ । ସମସ୍ତ ଜନ ପ୍ରତିନିଧି ମାନେ ନିଜ ନିଜ ଅଂଚଳର ସମସ୍ୟା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ବୌଦ୍ଧ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡମ୍ବରୁଧର କହଁର ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଂକର୍ଷଣ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ଯୋଗ ଦେଇଥିଲେ । ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ସମସ୍ତ ବ୍ଲକର ବିଡିଓ, ଲାଇନ ବିଭାଗର ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande