
କେନ୍ଦୁଝର, ୨୯ ମଇ (ହି.ସ.)- ଘଟଗାଁ ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ା ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ଟୁଙ୍ଗି ବାର୍ଷିକୋତ୍ସବ ଆନୁକୁଲ୍ୟରେ ଅନୁଷ୍ଠିତ ଭାଗବତ ପାରାୟଣ ଅବସରରେ ବଣଭୋଜି ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଭାଗବତ ପାରାୟଣ ପରେ ଶ୍ରୀ ଶ୍ରୀ ଜଗନ୍ନାଥ ଟୁଙ୍ଗି ସଭାପତି ତଥା ଘଟଗାଁ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଜୟଦେବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସତସଙ୍ଗ ଅଧିବେଶନ ଆରମ୍ଭ କରାଗଲା ।
ସର୍ବ ପ୍ରଥମେ ପୂଜ୍ୟ ପୂଜା ପରମ୍ପରା ଅନୁଯାୟୀ ଏହି ଅଞ୍ଚଳର ବୟୋଜ୍ୟେଷ୍ଠ ଭାଗବତ ରସଗ୍ରାହି ସଜ୍ଜନ ଜନାର୍ଦ୍ଧନ ଶତପଥୀଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଗଲା ଏବଂ ଏ ଅଞ୍ଚଳରେ ସର୍ବାଧିକ ପ୍ରାପ୍ତାଙ୍କ ରଖି ମେଟ୍ରିକ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଶ୍ରଦ୍ଧେୟା ସୁଭଦ୍ରା ସ୍ୱାଇଁ ଓ ମମତା ମହାନ୍ତଙ୍କୁ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଗଲା। ଏହାପରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ବ୍ରାହ୍ମଣ କନ୍ୟା ମୋକ୍ଷଣ ତଥା ବଣଭୋଜି ଅଧ୍ୟାୟର ତାତ୍ତ୍ୱିକ ବିଶ୍ଳେଷଣ କଲେ ଏବଂ ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନା, ପ୍ରାକ୍ତନ ଉପସଭାପତି ରଘୁନାଥ ପଣ୍ଡା, ସମାଜସେବୀ କୁଳମଣି ମଣ୍ଡଳ, ବ୍ରଜନାଥ ଶର୍ମା, ପାଲା ଗାୟକ ବଳରାମ ଆଚାର୍ଯ୍ୟ ଓ ବ୍ଲକ ଉପସଭାପତି ମଦନ ମୋହନ ବେଜ ଭାଗବତ ସମ୍ବନ୍ଧରେ ଆଲୋକପାତ କଲେ।
ଏଥିରେ ଘଟଗାଁ ବ୍ଲକର ଅନ୍ୟୁନ ୨୫ଗୋଟି ଟୁଙ୍ଗିର ଭକ୍ତ, ନେଲୁଙ୍ଗ ଭାଗବତ ଟୁଙ୍ଗି ସଭାନେତ୍ରୀ ତଥା ପଞ୍ଚାୟତ ସରପଞ୍ଚ ଚନ୍ଦ୍ରମଣି ସିଂ,ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ବରିଷ୍ଠ ଭକ୍ତ ପୁରୁଷୋତ୍ତମ ଜେନା, ଖୁଣ୍ଟାପଡା ତଥା ଅନ୍ୟାନ୍ୟ ଗ୍ରାମର ମାତୃମଣ୍ଡଳୀ ମା ମାଉସୀ ବୃନ୍ଦ, ବ୍ଲକ କୋଷାଧକ୍ଷ ଉମାକାନ୍ତ ସାହୁ ,ଜଗନ୍ନାଥ ମନ୍ଦିର ସେବକ ଦେବବ୍ରତ ପଣ୍ଡା, ଭବାନୀ ପ୍ରସାଦ ଦାସ, ତାରିଣୀ ପ୍ରସାଦ ଦାସ , ଅଭିମନ୍ୟୁ ମହାନ୍ତ ଓ ଭାଗବତ ନାୟକ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ସାନ୍ତରାପୁର ଭାଗବତ ଟୁଙ୍ଗି ଭଜନ ମଣ୍ଡଳୀ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ । ବ୍ଲକ ସମ୍ପାଦକ ମାୟାଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA