

ମୁଖୀଗୁଡା, ୨୯ ମଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଲକ୍ଷ ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି ହେଲେ କୌଣସି ସ୍ଥାନରେ ସୂଚନା ଫଳକ ନଥିବାରୁ ଜନସାଧାରଣ ସୂଚନା ପାଇବାରୁ ବଞ୍ଚିତ ହେଉଛନ୍ତି । କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେହେଁ ବିନା ସୂଚନା ଫଳକରେ ଗତ ତିନି ମାସ ତଳେ କଂକ୍ରିଟ ରାସ୍ତା ଗୁଡିକ ନିର୍ମାଣ କରାଯାଇଛି ।ଜୟପାଟଣା ପଞ୍ଚାୟତର ଜୟପାଟଣା କିଶୋରପଡା ବିରଞ୍ଚି ପଣ୍ଡା ଘରଠାରୁ ବୁଲୁଦାସ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଉପରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ବେଳେ ଆଲୋକ ପଣ୍ଡା ଘରଠାରୁ ଭାରତ ଅଗସ୍ତି ଘରଯାଏଁ ଅଧାପନ୍ତରିଆ କଂକ୍ରିଟ ରାସ୍ତା କରାଯାଇଛି । ଜୟପାଟଣା ପିଡ଼ବ୍ଲୁଡି ରାସ୍ତା ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ୫ମ ଏସଏଫସି ୨୦୨୫-୨୬ ଯୋଜନାରେ ୧.୫ ଲକ୍ଷ ବ୍ୟୟ ଅଟକଳରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା l ଗତ କିଛିଦିନ ତଳେ ପୁଣି ସେହି କଂକ୍ରିଟ ରାସ୍ତା ଉପରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି । ପାଢ଼ୀପଡାରେ ରାମକୃଷ୍ଣ ପାଢ଼ୀ ଘର ଛକ ଠାରୁ ଅର୍ଜୁନ ପଣ୍ଡା ଘର ଭାୟା ବନ ହୋତା ଘର।ରାମନଗର ପଡାରେ ପ୍ରଶନ୍ନ ନାଏକ ଘର ଠାରୁ ବିରଜା ପଣ୍ଡା ଘର ପର୍ଯ୍ୟନ୍ତ । ତହସିଲ ଅଫିସ ନିକଟରେ ବାପୁ ପଣ୍ଡା ଗଳି, ଜୟପାଟଣା- ଚଞ୍ଚରାପଡା ରାସ୍ତା ଗୁପ୍ତେ ପଣ୍ଡାଙ୍କ ଜମି ନିକଟରୁ ପ୍ରାୟ ୧୮୦ ମିଟର କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲେ ହେଁ କାର୍ଯ୍ୟ ସ୍ଥଳରେ କୌଣସି ସୂଚନା ଫଳକ ନାହିଁ । ସେହିପରି ମଙ୍ଗଳପୁର ପଞ୍ଚାୟତ ରାଣୀବାହାଲ ଗ୍ରାମର ଶାନ୍ତିପଡାରେ ନକୁଳଘର ଠାରୁ ବରଗଛ ଛକ, ମଧୁ ରାଉତ ଘର ଠାରୁ ତ୍ରିନାଥ ନାଏକ ଘର ଯାଏଁ, ପରଜାପଡାରେ ଧନିଆ ଘର ଠାରୁ ଘାସି ମାଝୀ ଘର, ଲଦା ମାଝୀ ଘର ଗଳି, ବାମନୁ ମାଝୀ ଘର ଗଳି, ବସ୍ତିପଡାରେ ବରଗଛ ଛକ ଠାରୁ ନରସିଂ ଶବର ଘର ଯାଏଁ, ଗୌନ୍ତିଆପଡା ଗଳି କୁହୁରୀଗୁମା ଗ୍ରାମରେ ରାଇଟ କେନାଲ ରାସ୍ତା ଠାରୁ ଲଙ୍କେଶ୍ୱରୀ ମନ୍ଦିର, ଭୀମ ନାଏକଙ୍କ ଦୋକାନ ଠାରୁ ସ୍କୁଲ ଗଳି, ରଜାମୁଣ୍ଡା ଗ୍ରାମରେ କବି ରଣା ଘର ସାମନାରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି ହେଲେ ସୂଚନା ଫଳକ ନଥିବାରୁ ସୂଚନା ସମ୍ପର୍କରେ ଜନ ସାଧାରଣ କୋୖଣସି ତଥ୍ୟ ପାଇ ପାରୁ ନାହାଁନ୍ତି ।ରାଣୀ ବାହାଲ ଗ୍ରାମରେ କରାଯାଇଥିବା କଂକ୍ରିଟ ରାସ୍ତାର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାର ସ୍ଥାୟିତ୍ବକୁ ନେଇ ସନ୍ଦେହ ଉପୁଜିଛି । କାର୍ଯ୍ୟର ଅଟକଳ ମୂଲ୍ୟ, କେଉଁ ଯୋଜନାରେ କାମ ହେଇଛି, କାର୍ଯ୍ୟ ନିର୍ବାହୀ ସଂସ୍ଥା, କାର୍ଯ୍ୟର ନାମ, କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ସମ୍ପର୍କରେ ଲୋକଙ୍କୁ ଅଜ୍ଞାତରେ ରଖାଯାଇ ସରକାରୀ ଯୋଜନା ହରିଲୁଟ ପାଇଁ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଦିଆଯାଉ ନଥିବା ଅଭିଯୋଗ ହେଉଛି ।
ରାଣୀବାହାଲ, କୁହୁରୀଗୁମାରେ ବିନା ସୂଚନା ଫଳକରେ ହୋଇଥିବା କଂକ୍ରିଟ ରାସ୍ତା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସୁଦୀପ ରାଉତଙ୍କୁ ପଚାରିବାରୁ କାମ ହୋଇଥିବା ସମ୍ପର୍କରେ ଜାଣିନଥିବା କହିଥିଲେ ।ସେହିପରି ଜୟପାଟଣାରେ ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ କଂକ୍ରିଟ ରାସ୍ତା ନିର୍ମାଣ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସଙ୍କୁ ପଚାରିବାରୁ ସେ ମଧ୍ୟ କେଉଁ ଯୋଜନାରେ କାମ ହୋଇଛି କିଛି ଜାଣି ନଥିବା କହିଥିଲେ । ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଏପରି ପ୍ରାୟ ୨ କୋଟି ଟଙ୍କାର କାମ ବିନା କାଗଜପତ୍ରରେ କରାଯାଇଥିବା କୁହାଯାଉଛି । ସେସବୁ କାମ ଆଗ କରାଯାଇ ପରେ ଫଣ୍ଡ ଆସିଲେ ବିଲ୍ କରାଯିବ ବୋଲି ସୂଚନା ମିଳିଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର