
ଝାରସୁଗୁଡ଼ା, ୨୯ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ କୃଷି ସେବା ସମବାୟ ସମିତି ପାଇଁ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପିପିସି (ଶସ୍ୟ ସଂଗ୍ରହ କେନ୍ଦ୍ର)ର ପିଣ୍ଢି ନିମ୍ନମାନର ହୋଇଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟବହାର ପୂର୍ବରୁ ହିଁ ପିଣ୍ଢିର ଚାରିପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଥିବାରୁ ନିର୍ମାଣ କାର୍ଯ୍ୟର ଗୁଣମାନକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, କୋଲାବିରା ବ୍ଲକର ୪ଟି ସମବାୟ ସମିତି ପାଇଁ ୪ଟି ପିପିସି ନିର୍ମାଣ କାମ ଦୁଇ ମାସ ପୂର୍ବରୁ ଶେଷ ହୋଇଥିଲା। କୋଲାବିରା ସମିତିର ଏହି କେନ୍ଦ୍ର କଲୋନୀପଡ଼ା ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି। ଏଥିରେ ଖୋଲା ପିଣ୍ଢି, କଭର ସେଡ୍ ପିଣ୍ଢି, ଅଫିସ ଗୃହ, ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା ଓ ପାଚେରୀ ନିର୍ମାଣ କରାଯାଇଛି।
ଗତ ମାର୍ଚ୍ଚ ୬ ତାରିଖରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନଲାଇନ ମାଧ୍ୟମରେ ଏହି ପିପିସିର ଉଦ୍ଘାଟନ କରିଥିଲେ। ଗତ ୨୫ ତାରିଖରେ ଏଠାରେ ରବି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନ କ୍ରୟର ଶୁଭାରମ୍ଭ କରିଥିଲେ। ତେବେ ନୂତନ ନିର୍ମିତ ଖୋଲା ପିଣ୍ଢିରେ ଫାଟ ଦେଖାଯିବା ପରେ ଚାଷୀମାନେ ନିର୍ମାଣ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିନା ଲୁହା ରଡରେ ପିଣ୍ଢି ନିର୍ମାଣ ହୋଇଥିବା ସହ ବାଲି-ସିମେଣ୍ଟର ମିଶ୍ରଣ ମଧ୍ୟ ଏଷ୍ଟିମେଟ ଅନୁଯାୟୀ ହୋଇନଥିବା ଅଭିଯୋଗ ହୋଇଛି। ବ୍ୟବହାର ପୂର୍ବରୁ ହିଁ ପିଣ୍ଢିରେ ଫାଟ ସୃଷ୍ଟି ହେବାକୁ ନେଇ ଚାଷୀମାନେ ତଦନ୍ତ ଦାବି କରିଛନ୍ତି।
ଏନେଇ ସମବାୟ ବିଭାଗର ଏଆରସିଏସ ରମେଶ ଚନ୍ଦ୍ର ଟପୋଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପିପିସିର ନିର୍ମାଣ କାମ ପୂର୍ତ୍ତ ବିଭାଗ କରିଥିବାରୁ ଫାଟ ସମ୍ପର୍କରେ ସେହି ବିଭାଗ ସ୍ପଷ୍ଟ କରିପାରିବ। ତେବେ ଏନେଇ ସେ କୌଣସି ଲିଖିତ ଅଭିଯୋଗ କରିନଥିବା ସୂଚନା ମିଳିଛି।
ଅନ୍ୟପଟେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ କହିଛନ୍ତି ଯେ, ପିଣ୍ଢିରେ ଫାଟ ଥିବା ନେଇ ତାଙ୍କ ପାଖରେ ସୂଚନା ନାହିଁ। ଏହାସହ ପିଣ୍ଢି ନିର୍ମାଣ ପାଇଁ ଏଷ୍ଟିମେଟରେ ଲୁହା ରଡ ବ୍ୟବହାରର ପ୍ରାବଧାନ ନଥିବା କହି ସେ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ