
ଗଞ୍ଜାମ, ୨୯ ମଇ (ହି.ସ.)- ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ(ଏସପି) ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ହରିଶ ବିସି । ଅପରାଧ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ମାଫିଆମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ୨୪ ଘଂଟା ଲୋକଙ୍କୁ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେବେ ବୋଲି ଏସପି ଶ୍ରୀ ବିସି କହିଛନ୍ତି ।
ଗଞ୍ଜାମ ପୁଲିସ ଜିଲ୍ଲା ଏକ ବଡ଼ ଜିଲ୍ଲା ହୋଇଥିବାରୁ ସମସ୍ତ ଥାନାଧିକାରୀ, ଏସଡିପିଓ, ଅତିରିକ୍ତ ଏସପି ଏବଂ ଡିଏସପିମାନଙ୍କୁ ନେଇ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଦିଗରେ ଆଲୋଚନା କରି ଜିଲ୍ଲା କିପରି ଭାବେ ଅପରାଧମୁକ୍ତ ହୋଇପାରିବ ସେନେଇ କାର୍ଯ୍ୟ କରିବେ ବୋଲି ଏସପି ଶ୍ରୀ ବିସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲା ଅପେକ୍ଷା ଗଞ୍ଜାମ ପୁଲିସ ଜିଲ୍ଲାରେ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଏକ ଚ୍ୟାଲେଞ୍ଜ । ତେବେ ତା’ର ମୁକାବିଲା କରିବା ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ କଡାକଡି ପେଟ୍ରୋଲିଂ ଜାରି ରହିବ । ସେହିଭଳି ହଜିଯାଇଥିବା ମୋବାଇଲ ଉଦ୍ଧାର କାର୍ଯ୍ୟ ଜାରି ରହିବ । ଲୋକଙ୍କ ବିଶ୍ୱାସ ଭାଜନ ହୋଇ ରହିବା ଲାଗି ଲୋକଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଏସପି କହିଛନ୍ତି । ଏନେଇ ମଧ୍ୟ ସେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।
ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ଯେ କୌଣସି ସମୟରେ କେହି ଚାହିଁଲେ ମୋତେ ଭେଟି ପାରିବେ ଏବଂ ମୋ ପାଖକୁ ନିଜର ଅଭିଯୋଗ ନେଇ ଆସିପାରିବେ । ଆଜି ଛତ୍ରପୁର ସ୍ଥିତ କାର୍ଯ୍ୟାଳୟରେ ଶ୍ରୀ ବିସି କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ବହୁ ପୁଲିସ ଅଧିକାରୀ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ପୂର୍ବରୁ ଗଞ୍ଜାମ ଏସପି ଭାବେ କାର୍ଯ୍ୟ କରୁଥିବା ଶୁଭେନ୍ଦୁ କୁମାର ପାତ୍ରଙ୍କୁ ନୟାଗଡ ଏସପି ଭାବେ ବଦଳି ହେବା ପରେ ଆଜି ନୂତନ ଭାବେ ହରିଶ ବିସି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ଯୋଗ ଦେବା ପରେ ଶୁଭେନ୍ଦୁ ପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ହରିଶ ବିସି ପୂର୍ବରୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ । ୨୦୨୦ ବ୍ୟାଚ୍ ର ଏହି ଆଇପିଏସ ଅଧିକାରୀ ପ୍ରଥମେ ରାୟଗଡାରେ କାର୍ଯ୍ୟ ଆରମ୍ଭ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ