କୋରାପୁଟରେ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଉନ୍ନତ ମାନର ଗୋବର ଖତ ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଜୟପୁର, ୨୯ ମଇ (ହି.ସ.)- ଦେଶରେ ରାସାୟନିକ ସାରର ଉପଲବ୍ଧତା ଓ ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାକୃତିକ ଚାଷ ପ୍ରଚାର ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ, ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ପକ୍ଷରୁ ଉନ୍ନତ ମାନର ଗୋବର ଖତ (EFYM) ପ୍ରସ୍ତୁତି ଉପରେ
କୋରାପୁଟରେ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଉନ୍ନତ ମାନର ଗୋବର ଖତ ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ


ଜୟପୁର, ୨୯ ମଇ (ହି.ସ.)- ଦେଶରେ ରାସାୟନିକ ସାରର ଉପଲବ୍ଧତା ଓ ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାକୃତିକ ଚାଷ ପ୍ରଚାର ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ, ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ପକ୍ଷରୁ ଉନ୍ନତ ମାନର ଗୋବର ଖତ (EFYM) ପ୍ରସ୍ତୁତି ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି।ସାରର ଅଭାବ, ଅତ୍ୟଧିକ କୃଷି ଖର୍ଚ୍ଚ ଏବଂ ବାହ୍ୟ ରାସାୟନିକ ଉପାଦାନ ଉପରେ ନିର୍ଭରଶୀଳତା ବଢ଼ୁଥିବା ପରିପ୍ରେକ୍ଷିରେ, ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ ତାହାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ପ୍ରାକୃତିକ ଚାଷ ପଦ୍ଧତିକୁ ସମ୍ମିଳିତ କରୁଛି। ସ୍ଥାନୀୟ ସମ୍ପଦ ଆଧାରିତ କୃଷି, ଜୈବିକ ସାର ଏବଂ ପାରମ୍ପରିକ ଜ୍ଞାନର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ଉନ୍ନତି, ଚାଷ ଖର୍ଚ୍ଚ ହ୍ରାସ ଏବଂ ଦୀର୍ଘମିଆଦୀ କୃଷି ସ୍ଥିରତା ସୁନିଶ୍ଚିତ ହୋଇପାରିବ ବୋଲି ସଂସ୍ଥା ବିଶ୍ୱାସ କରେ।ଏହି ପରିପ୍ରେକ୍ଷିତରେ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ସହଯୋଗରେ ଚାଲୁଥିବା “ସ୍ପାଇସ୍ ପ୍ରକଳ୍ପ” ଅନ୍ତର୍ଗତ “ଉନ୍ନତ ମାନର ଗୋବର ଖତ ପ୍ରସ୍ତୁତି ଓ ପ୍ରୟୋଗ” ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୯ ମଇ ୨୦୨୬ ତାରିଖରେ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହାର ସମ୍ମିଳନୀ କକ୍ଷ, ଜୟପୁରରେ ଆୟୋଜିତ ହୋଇଥିଲା। କୋରାପୁଟ ବ୍ଲକର ବିଭିନ୍ନ ଗ୍ରାମରୁ ୫୦ରୁ ଅଧିକ ଚାଷୀ ଉତ୍ସାହର ସହିତ ଏହି ପ୍ରଶିକ୍ଷଣରେ ଭାଗ ନେଇଥିଲେ।କାର୍ଯ୍ୟକ୍ରମରେ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ଡ଼ଃ କାର୍ତ୍ତିକ ଚରଣ ଲେଙ୍କା ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରି ପ୍ରାକୃତିକ ଚାଷର ଗୁରୁତ୍ୱ, ମାଟିର ଉର୍ବରତା ପରିଚାଳନା ଏବଂ ଗୋବର ଖତର ଭୂମିକା ସମ୍ପର୍କରେ ବିସ୍ତାରିତ ଭାବେ ଅବଗତ କରାଇଥିଲେ। ସେ କହିଥିଲେ ଯେ, ଗୋବର ଖତ ମାଟିର ଜୈବିକ ଉପାଦାନ, ସୂକ୍ଷ୍ମଜୀବ କ୍ରିୟାକଳାପ ଓ ଫସଲ ଉତ୍ପାଦନକୁ ବୃଦ୍ଧି କରିଥାଏ। ସାର ଅଭାବ ସମୟରେ ଏହା ଏକ କାର୍ଯ୍ୟକାରୀ ବିକଳ୍ପ ଭାବେ କାମ କରିପାରିବ ଏବଂ ଜଳବାୟୁ ସହନଶୀଳ କୃଷିକୁ ପ୍ରୋତ୍ସାହନ ଦେବ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ମଧ୍ୟ କହିଥିଲେ ଆଗକୁ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନ ପ୍ରାକୃତିକ କୃଷି ଓ ଉନ୍ନତ ମାନର ଗୋବର ଖତ ପ୍ରସ୍ତୁତି ଓ ପ୍ରୟୋଗ ଉପରେ ଗ୍ରାମ୍ୟ ସ୍ତରରେ ଚାଷୀମାନଙ୍କୁ ସଚେତନ କରିବ।ପ୍ରଶିକ୍ଷଣର ପ୍ରାୟୋଗିକ ଅଧିବେଶନକୁ ଅବସରପ୍ରାପ୍ତ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଏସ୍.ଭି. ରମଣା ପ୍ରଶିକ୍ଷକ ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ। ସେ ଉନ୍ନତ ମାନର ଗୋବର ଖତ ପ୍ରସ୍ତୁତି ପ୍ରଣାଳୀ, ପୋଷକ ସମୃଦ୍ଧିକରଣ ପ୍ରକ୍ରିୟା, ଆବଶ୍ୟକ ମାତ୍ରା ଓ କୃଷି କ୍ଷେତ୍ରରେ ପ୍ରୟୋଗ ପ୍ରଣାଳୀ ଉପରେ ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଭାବେ ଉପଲବ୍ଧ କୃଷି ସମ୍ପଦକୁ ବ୍ୟବହାର କରି ସ୍ଥାୟୀ ପୋଷକ ପରିଚାଳନା କରିବାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଚାଷୀମାନଙ୍କୁ ସଚେତନ କରାଯାଇଥିଲା।ମତାମତ ଅଧିବେଶନରେ ଅଂଶଗ୍ରହଣକାରୀ ଚାଷୀମାନେ କହିଥିଲେ ଯେ, ଏହି ପ୍ରଶିକ୍ଷଣ ତାଙ୍କୁ ଉପଯୋଗୀ ପ୍ରାୟୋଗିକ ଜ୍ଞାନ, ନୂତନ ଶିକ୍ଷା ଏବଂ ପ୍ରାକୃତିକ ଚାଷ ଗ୍ରହଣ କରିବା ପାଇଁ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରିଛି। ପ୍ରଶିକ୍ଷଣ ସମୟରେ ହୋଇଥିବା ପ୍ରାୟୋଗିକ ପ୍ରଦର୍ଶନ ଓ ଆଲୋଚନାକୁ ସେମାନେ ବିଶେଷ ଭାବରେ ପ୍ରଶଂସା କରିଥିଲେ। ଶେଷରେ ଚାଷୀ ମାନଙ୍କୁ ଗୋଟିଏ ଗୋଟିଏ କନସୋର୍ଟିଆ ଅନୁଷ୍ଠାନ ତରଫରୁ ଦିଆଯାଇଥିଲା ଯାହାକୁ ବ୍ୟବହାର କରିକି ଚାଷୀମାନେ ଉନ୍ନତମାନର ଖତ ପ୍ରସ୍ତୁତ କରିପାରିବେ।କାର୍ଯ୍ୟକ୍ରମର ଶେଷରେ ଏମ.ଏସ୍. ସ୍ୱାମିନାଥନ୍ ଗବେଷଣା ପ୍ରତିଷ୍ଠାନର ଦୀପ୍ତି ସାହୁ ପ୍ରଶିକ୍ଷଣର ମୁଖ୍ୟ ବିଷୟବସ୍ତୁ ଉପରେ ସାରାଂଶ ପ୍ରଦାନ କରିଥିଲେ ଏବଂ ସମସ୍ତ ଅଂଶଗ୍ରହଣକାରୀ, ପ୍ରଶିକ୍ଷକ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅଞ୍ଚଳରେ ସ୍ଥାୟୀ କୃଷି ଓ ପ୍ରାକୃତିକ ଚାଷ ପ୍ରଚାର ପାଇଁ ସାମୁହିକ ସଙ୍କଳ୍ପ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande