
ନୂଆପଡ଼ା, ୨୯ ମଇ (ହି.ସ.)- ଗତ କୋଡ଼ିଏ ତାରିଖ ଦିନ ନୂଆପଡ଼ା ଜିଲ୍ଲାରେ ରବି ଧାନ ମଣ୍ଡି ଶୁଭାରମ୍ଭ କରାଯାଇଥିଲା। ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ସବୁ ଆରମ୍ଭ ହୋଇଯାଇଛି। ଖଡ଼ିଆଳ ବ୍ଲକ ବରଗାଁ ପେକ୍ସ ଅଧୀନରେ ତିନିଟି ମଣ୍ଡି ଯଥା ବରଗାଁ, ସାନମହେଶ୍ୱର ଓ ଖୁଦପେଜ ମଣ୍ଡି ଆଜି ଉଦଘାଟିତ ହୋଇଯାଇଛି। ବରଗାଁ ପେକ୍ସ ସଭାପତି ସତ୍ୟପ୍ରିୟ ମୁଣ୍ଡ ପୂଜାର୍ଚ୍ଚନା କରି ଓ ଫିତା କାଟି ମଣ୍ଡି ସବୁର ଶୁଭାରମ୍ଭ କରିଥିଲେ। ଏହି ତିନି ମଣ୍ଡି ପାଇଁ ମୋଟ ୧୩୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଅଶି ହଜାର କ୍ଵିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯିବ ବୋଲି ସୂଚନା ଦିଆଯାଇଛି। ଚାଷୀଙ୍କ ପାଇଁ ମଣ୍ଡିରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ ପେକ୍ସ ସଭାପତି ଶ୍ରୀମୁଣ୍ଡ ସୂଚନା ଦେଇଛନ୍ତି। କଟନି ଛଟନି ବନ୍ଦ କରିବା, ପଲିଥିନ ଯୋଗାଇବା, ଠିକ୍ ସମୟରେ ଧାନ ଉଠିବା ଆଦି ବ୍ୟବସ୍ଥା ଦାବି କରିଛନ୍ତି ଚାଷୀ ମାନେ।
ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପେକ୍ସ ସମ୍ପାଦକ ଭାଗିରଥୀ ପଟେଲ, ଖୁଦପେଜ ସରପଞ୍ଚ ଯଶୋଦା ଶତପଥୀ, ଡିଇଓ ଯଶୋବନ୍ତ ପଟେଲଙ୍କ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ