
ନୂଆପଡ଼ା, ୨୯ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ବିପର୍ଯୟ ପରିଚାଳନା କର୍ତୃପକ୍ଷ ଅନୁକୂଳ୍ୟରେ ଆସନ୍ତା ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯୟ କମିଟିର ବୈଠକ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଡେପୁଟି ଜିଲ୍ଲାପାଳ(ଜରୁରୀକାଳୀନ) ଶେଖ ନାସିମଙ୍କ ସମେତ ସମସ୍ତ ତହସିଲଦାର, ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଆସନ୍ତା ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ଅନ୍ୟାନ୍ୟ ବିପର୍ଯୟର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ, ସତର୍କତା ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଚିହ୍ନଟ କରି ସେଗୁଡ଼ିକର ତୁରନ୍ତ ମରାମତି, ଡ୍ରେନେଜ ବ୍ୟବସ୍ଥାକୁ ସଚଳ ରଖିବା ଏବଂ ବର୍ଷାଜଳର ଅବାଧ ପ୍ରବାହ ସୁନିଶ୍ଚିତ କରିବା ପାଇଁ ଜଳସେଚନ, ପଂଚାୟତିରାଜ ଓ ସହରାଂଚଳ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆଲୋଚନାରେ ଅଂଶଗ୍ରହଣ କରି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ବନ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହୃତ ହେବାକୁ ଥିବା ବିଦ୍ୟାଳୟ ଗୃହଗୁଡ଼ିକର ଆବଶ୍ୟକ ମରାମତି କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ସହ ଡ୍ରେନେଜ୍ ସଫେଇ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ପୂର୍ବ ପ୍ରସ୍ତୁତି, ଆନ୍ତଃବିଭାଗୀୟ ସମନ୍ୱୟ ଏବଂ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ମତବ୍ୟକ୍ତ କରିଥିଲେ।
ବନ୍ୟା ନିୟନ୍ତ୍ରଣ କକ୍ଷଗୁଡ଼ିକୁ ଜୁନ ୧ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚବିଶ ଘଂଟିଆ ଭିତିରେ କାର୍ଯ୍ୟକ୍ଷମ ରଖିବା, ବ୍ଲକ, ତହସିଲ ଓ ଏନଏସି ସ୍ତରରେ ମଧ୍ୟ ସମାନ ବ୍ୟବସ୍ଥା କରିବା ଏବଂ ଦୈନିକ ବର୍ଷାପାତ ସମ୍ପର୍କିତ ରିପୋର୍ଟ ନିୟମିତ ଭାବେ ପ୍ରେରଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଥିଲା। ପାଣିପାଗ ସତର୍କ ସୂଚନା ଓ ବନ୍ୟା ବୁଲେଟିନକୁ ତୁରନ୍ତ ଜନସାଧାରଣ ଓ ସମ୍ପୃକ୍ତ ସଂସ୍ଥାମାନଙ୍କ ନିକଟରେ ପହଂଚାଇବା ପାଇଁ ଜିଲ୍ଲା ଜରୁରୀକାଳୀନ ଶାଖା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ସକ୍ରିୟ ଭୂମିକା ନେବାକୁ କୁହାଯାଇଥିଲା। ସମ୍ଭାବ୍ୟ ବିପର୍ଯୟ ସମୟରେ ଖାଦ୍ୟ ସାମଗ୍ରୀ, ଚୁଡ଼ା, ଗୁଡ଼, ବିସ୍କୁଟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆଗୁଆ ସଂରକ୍ଷଣ, ଦୁର୍ଗମ ଅଂଚଳରେ ସୁରକ୍ଷିତ ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ, ଯୋଗାଯୋଗ ଓ ସଡ଼କ ସେବାର ତ୍ୱରିତ ପୁନରୁଦ୍ଧାର ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସ୍ୱାସ୍ଥ୍ୟ କ୍ଷେତ୍ରରେ ବର୍ଷା ଋତୁରେ ଜଳବାହିତ ରୋଗ ନିୟନ୍ତ୍ରଣ, ସାପ କାମୁଡ଼ା ଚିକିତ୍ସା ପାଇଁ ଆଂଟି-ଭେନମ ଔଷଧର ପର୍ଯ୍ୟାପ୍ତ ମହଜୁଦ, ମୋବାଇଲ ହେଲ୍ଥ ୟୁନିଟ୍ର ସକ୍ରିୟତା ଏବଂ ଦୁର୍ଗମ ଅଂଚଳରେ ଔଷଧ ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା। ପଶୁ ସମ୍ପଦ ବିଭାଗକୁ ପଶୁ ଟିକାକରଣ ଓ ଚିକିତ୍ସା ସେବା ପାଇଁ ସଜାଗ ରହିବାକୁ କୁହାଯାଇଥିବାବେଳେ କୃଷି ବିଭାଗକୁ ବନ୍ୟା ପରବର୍ତୀ କୃଷି ସହାୟତା ଯୋଜନା ପ୍ରସ୍ତୁତ କରିବା ଏବଂ ଚାଷୀମାନଙ୍କ ପାଇଁ ବିହନ, ସାର ଓ କୀଟନାଶକର ଉପଲବ୍ଧତା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ବନ୍ୟା ଆଶ୍ରୟସ୍ଥଳ ଚିହ୍ନଟ, ନିମ୍ନାଂଚଳ ଅଂଚଳଗୁଡ଼ିକର ସ୍ଥାନାନ୍ତରଣ ଯୋଜନା, ଉଦ୍ଧାର ପଥ ଏବଂ ପରିବହନ ବ୍ୟବସ୍ଥା, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ମୁତୟନ, କ୍ଷୟକ୍ଷତି ଆକଳନ ଏବଂ ରିଲିଫ ଦଳ ଗଠନ ସମ୍ପର୍କରେ ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ, ପଂଚାୟତିରାଜ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସାମିଲ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ଜୁନ ୧୮ ଓ ୧୯ ତାରିଖରେ ଜିଲ୍ଲା, ବ୍ଲକ ଏବଂ ଏନଏସି ମୁଖ୍ୟାଳୟ ସ୍ତରରେ ମକ୍ ଡ୍ରିଲ୍ ଆୟୋଜନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଶେଷରେ ଜିଲ୍ଲାପାଳ ପ୍ରାକୃତିକ ବିପର୍ଯୟ ସମୟରେ ଜନଜୀବନ ଓ ସମ୍ପତିର କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ସମସ୍ତ ବିଭାଗ ପୂର୍ଣ୍ଣ ସଜାଗତା ଓ ସମନ୍ୱୟ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ