
ଝାରସୁଗୁଡ଼ା, ୨୯ ମଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁଡ଼ାବଗା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ପୁଅ ନିଜ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ବେଳେ, ତାଙ୍କୁ ବଞ୍ଚାଇବାକୁ ଆସିଥିବା ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, କୁଡ଼ାବଗା ଗ୍ରାମର ଛନ୍ଦାଚରଣ ମଲ୍ଲିକ କୌଣସି କାରଣରୁ ଉତ୍ତେଜିତ ହୋଇ ଏକ ଧାରୁଆ ଟାଙ୍ଗିଆରେ ନିଜ ବାପା ଥଣ୍ଡାରାମ ମଲ୍ଲିକଙ୍କ ବେକକୁ ଆକ୍ରମଣ କରିଥିଲେ। ଏହି ସମୟରେ ଗ୍ରାମର ଯୁବକ ନିରଞ୍ଜନ ବଗାର ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଥଣ୍ଡାରାମ ଓ ନିରଞ୍ଜନ ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଭୟ ଆହତଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ ରେଙ୍ଗାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତ ଛନ୍ଦାଚରଣ ମଲ୍ଲିକଙ୍କୁ ରେଙ୍ଗାଲି ଥାନା କେସ୍ ନମ୍ବର ୧୫୮/୨୦୨୬ ଅନୁସାରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ଘଟଣାଟି ପାରିବାରିକ ଶତ୍ରୁତା ନା ଅନ୍ୟ କୌଣସି କାରଣରୁ ଘଟିଛି, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ