
ଜଲପାଇଗୁଡ଼ି, ୨୯ ମଇ (ହି.ସ.)- ସରିନ୍ଦା ବାଦନର ଅଗ୍ରଦୂତ ତଥା ଉତର ବଙ୍ଗର ପ୍ରାୟ ୫୦୦ ବର୍ଷ ପୁରୁଣା ଲୋକ ସଂସ୍କୃତିର ଜଣେ ପ୍ରମୁଖ ପ୍ରବକ୍ତା ମଙ୍ଗଳ କାନ୍ତ ରାୟଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା । ମାୟାନଗୁଡ଼ିର ଆମଗୁରି ଗ୍ରାମ ପଂଚାୟତ ଅନ୍ତର୍ଗତ ଧବଲଗୁଡ଼ିରେ ଥିବା ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ମଙ୍ଗଳ କାନ୍ତା ରାୟ ଦୀର୍ଘ ଦିନ ଧରି ବିଭିନ୍ନ ବାର୍ଦ୍ଧକ୍ୟଜନିତ ରୋଗ ଏବଂ ଗଳା ସମସ୍ୟାରେ ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁ ଉତର ବଙ୍ଗର ଲୋକ ସାଂସ୍କୃତିକ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଲୋକ କଳାକାର ଏବଂ ସଂସ୍କୃତି ପ୍ରେମୀମାନେ ଏହାକୁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।
ମଙ୍ଗଳ କାନ୍ତ ରାୟ ସରିନ୍ଦା ବାଦନ ଭଳି ଲୁପ୍ତପ୍ରାୟ ଲୋକକଳାକୁ ବଂଚାଇବା ଏବଂ ଏହାକୁ ନୂଆ ପିଢ଼ିକୁ ହସ୍ତାନ୍ତର କରିବା ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କର ଅକ୍ଳାନ୍ତ ଉଦ୍ୟମ ଯୋଗୁଁ, ଏହି ପାରମ୍ପରିକ ବାଦ୍ୟଯନ୍ତ୍ର ପୁଣି ଥରେ ସାଂସ୍କୃତିକ ମଂଚ ଏବଂ ଲୋକ କାର୍ଯ୍ୟକ୍ରମରେ ନିଜର ପରିଚୟ ସୃଷ୍ଟି କରିଥିଲା ।
ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ, ପଶ୍ଚିମବଙ୍ଗ ସରକାର ତାଙ୍କୁ ୨୦୧୭ ରେ ବଙ୍ଗରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ପରବର୍ତୀ ସମୟରେ, ୨୦୨୩ ମସିହାରେ ଭାରତ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ