
ବଲାଙ୍ଗିର, ୨୯ ମଇ (ହି.ସ.)-
ଏକ ସୁସ୍ଥ, ସଚେତନ ଏବଂ ପିରିଅଡ୍-ଫ୍ରେଣ୍ଡଲି ସମାଜ ଗଠନର ଲକ୍ଷ୍ୟ ନେଇ ବରଗଡ଼ ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମପଞ୍ଚାୟତର ଠାରେ ପଲ୍ଲୀ ଆଲୋକ ପାଠାଗାର ଓ ରିବୁଲ୍ଡ ଇଣ୍ଡିଆ ସହାୟତାରେ ଋତୁସ୍ରାବ ପରିଷ୍କାର ଓ ପରିଛନ୍ନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ମାସିକ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ସହିତ ସମାଜରେ ରହିଥିବା ଅନ୍ଧବିଶ୍ୱାସ ଓ ଲଜ୍ଜାବୋଧକୁ ଦୂର କରିବା।
ଏହି ସଚେତନତା କାର୍ଯ୍ୟକ୍ରମରେ ଫଟାମୁଣ୍ଡା କମ୍ଯୁନିଟି ସ୍ବାସ୍ଥ୍ୟ ଅଧିକାରୀ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏଏନଏମ, ୱାର୍ଡ ସଦସ୍ୟ, ସ୍ଥାନୀୟ ମାଆମାନେ ଏବଂ କିଶୋରୀ ଗୋଷ୍ଠୀର ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। କମ୍ଯୁନିଟି ସ୍ବାସ୍ଥ୍ୟ ଅଧିକାରୀ ମାସିକ ସ୍ୱାସ୍ଥ୍ୟ ନେଇ ଖୋଲା ଆଲୋଚନା କରିଥିଲେ ଏବଂ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ।
କାର୍ଯ୍ୟକ୍ରମରେ ପଲ୍ଲୀ ଆଲୋକ ପାଠାଗାରର ପ୍ରଶାନ୍ତ କୁଆଁର ମାସିକ ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ, ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ, ସ୍ୱଚ୍ଛ ସାନିଟାରୀ ନାପକିନ ବ୍ୟବହାର ଓ ନିୟମିତ ସ୍ୱଚ୍ଛତା ଅଭ୍ୟାସ ଉପରେ ମୂଲ୍ୟବାନ ମତ ପ୍ରକାଶ କରିଥିଲେ। ମହିଳା ଓ କିଶୋରୀମାନଙ୍କୁ ନିର୍ଭୟ ଭାବରେ ନିଜ ସମସ୍ୟା ଆଲୋଚନା କରିବାକୁ ଉତ୍ସାହିତ କରାଇଥିଲେ ।
ଏହାସହ କାର୍ଯ୍ୟକ୍ରମରେ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ କିଶୋରୀମାନଙ୍କ ମଧ୍ୟରେ ମାସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଜ୍ଞାନ ବୃଦ୍ଧି ପାଇଥିଲା। ସଚେତନତା ବୃଦ୍ଧି ପାଇଁ ଚିତ୍ରାଙ୍କନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀମାନେ ସୁନ୍ଦର ସଚେତନତାମୂଳକ ଚିତ୍ର ଅଙ୍କନ କରିଥିଲେ। ଅନ୍ତେ ସମସ୍ତ କିଶୋରୀ ଓ ମହିଳାମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା। କିଶୋରୀ ମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ଓ ପେଡ ବଣ୍ଟନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ସମାଜରେ ମାସିକ ସ୍ୱାସ୍ଥ୍ୟ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କରିବା ସହିତ କିଶୋରୀ ଓ ମହିଳାମାନଙ୍କୁ ସଚେତନ କରିବାରେ ଏକ ସଫଳ ପଦକ୍ଷେପ ରୂପେ ପରିଗଣିତ ହୋଇଛି। ଶେଷରେ ସସ୍ମୀତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ