
ଭୁବନେଶ୍ୱର, 28 ମେ (ହି.ସ.)- ରେଳ ବୋର୍ଡ ପକ୍ଷରୁ ପୋଷ୍ଟ ସରେଣ୍ଡର ନୀତି ବିରୋଧରେ ଏବଂ ଶ୍ରମିକ
ବିରୋଧୀ ନୀତିକୁ ପ୍ରତିବାଦ କରି ଆଜି ଇଷ୍ଟ କୋଷ୍ଟ ରେଳୱେ ମଜଦୁର ସଂଘ ପକ୍ଷରୁ ରେଳ ସଦନ ସ୍ଥିତ
ଜେନେରାଲ ମ୍ୟାନେଜର କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ
ଆୟୋଜିତ ହୋଇଥିଲା ।
ଖୁଦ୍ଧା ରୋଡ୍ ଡିଭିଜନ, ସମ୍ବଲପୁର ଡିଭିଜନ, ବିଶାଖାପଟ୍ଟଣମ ଡିଭିଜନ, ମଞ୍ଚେଶ୍ବର ୱର୍କଶପ୍, ରେଳ ସଦନ ଏବଂ ଇଷ୍ଟ କୋଷ୍ଟ ରେଳୱେର ବିଭିନ୍ନ ୟୁନିଟ୍ରୁ ରେଳ
କର୍ମଚାରୀ ଏବଂ ଟ୍ରେଡ୍ ୟୁନିଅନ କାର୍ଯ୍ୟକର୍ତ୍ତାମାନେ ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ସକ୍ରିୟ
ଭାବେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସକାଳ ୦୨.୦୦ ଘଣ୍ଟାରୁ ଦିନ 13.00 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।
ସଭାରେ ଉପସ୍ଥିତ ଜନସମାଗମ ରେଳ ବିଭାଗରେ ଭୟଙ୍କର କର୍ମଚାରୀ ଅଭାବ ସତ୍ତ୍ବେ ରେଳ ବୋର୍ଡଙ୍କ
ଦ୍ବାରା ଲଗାତାର ପୋଷ୍ଟ ସରେଣ୍ଡର କରାଯାଉଥିବାକୁ ଦୃଢ଼ ଭାବେ ବିରୋଧ କରିଥିଲେ। ଏହା ଫଳରେ
ମେକାନିକାଲ, ଇଲେକ୍ଟ୍ରିକାଲ, ଇଞ୍ଜିନିୟରିଂ, କନଷ୍ଟ୍ରକ୍ସନ, ପର୍ସାନେଲ, ସିଗ୍ନାଲ ଏବଂ ଟେଲିକମ୍ୟୁନିକେଶନ, ଷ୍ଟୋର୍ସ, କମର୍ସିଆଲ, ଟ୍ରାକ୍ ମେସିନ୍, ଆକାଉଣ୍ଟସ୍, ସିକ୍ୟୁରିଟି | ଆରପିଏଫ, କଣ୍ଟ୍ରୋଲ, ଅପରେଟିଂ ଇତ୍ୟାଦି ସମସ୍ତ ବିଭାଗ ଗୁରୁତର ପ୍ରଭାବିତ ହେଉଛି।
ସଂଘ ପକ୍ଷରୁ କୁହାଯାଇଥିଲା ଯେ, ମାନବ ସମ୍ପଦର ଗୁରୁତର ଅଭାବ ରେଳ
ସୁରକ୍ଷା, ରକ୍ଷାଣାବେକ୍ଷଣ କାର୍ଯ୍ୟ, ଉତ୍ପାଦନକ୍ଷମତା, କାର୍ଯ୍ୟ ପରିବେଶ ଏବଂ କର୍ମଚାରୀଙ୍କ ଉପରେ ବଢ଼ୁଥିବା କାର୍ଯ୍ୟଭାରକୁ ଅତ୍ୟନ୍ତ ପ୍ରଭାବିତ
କରୁଛି। ପ୍ରତିବାଦକାରୀମାନେ କହିଥିଲେ ଯେ ଟ୍ରାକ୍ ମେଣ୍ଟେନର, ଇଞ୍ଜିନିୟର, ଟେକ୍ନିସିଆନ, ରନିଂ ଷ୍ଟାଫ୍, ଟ୍ରେନ୍ ମ୍ୟାନେଜର, ଷ୍ଟେସନ୍ ମାଷ୍ଟର, ନର୍ସ, ଡାକ୍ତର, ଟିକେଟ୍ ଚେକିଂ ଷ୍ଟାଫ୍, ରିଜର୍ଭେସନ୍ ସୁପରଭାଇଜର, କ୍ଲାରିକାଲ ଷ୍ଟାଫ୍, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ଟେକ୍ନିକାଲ ଓ ନନ୍-ଟେକ୍ନିକାଲ ବର୍ଗରେ ବିଶାଳ ଖାଲିପଦ ରହିଛି।
ଧାରଣା ସମୟରେ ନେତୃତ୍ବବୃନ୍ଦ ଉପସ୍ଥିତ କର୍ମଚାରୀଙ୍କୁ ସମ୍ବୋଧନ କରି ତୁରନ୍ତ ପୋଷ୍ଟ
ସରେଣ୍ଡର ନୀତି ପ୍ରତ୍ୟାହାର କରିବା ସହ ସମସ୍ତ ଖାଲିପଦ ପୂରଣ କରିବାକୁ ଜୋରଦାର ଦାବି କରିଥିଲେ, ଯାହା ରେଳ ସୁରକ୍ଷା ଓ କାର୍ଯ୍ୟକୁଷଳତା ପାଇଁ ଆବଶ୍ୟକ ।
ସଭାକୁ ସମ୍ବୋଧନ କରି ଇଷ୍ଟ କୋଷ୍ଟ ରେଳୱେ ମଜଦୁର ସଂଘର ସାଧାରଣ ସମ୍ପାଦକ ଶ୍ରୀ ତ୍ରିଲୋଚନ
ସାହୁ ରେଳ ବୋର୍ଡର ଶ୍ରମିକ ବିରୋଧୀ ନୀତିଗୁଡ଼ିକ ଉପରେ ଉଭୟ ସ୍ବୀକୃତିପ୍ରାପ୍ତ ରେଳ
ଫେଡେରେସନଙ୍କ ନୀରବ ଓ ନିଷ୍କ୍ରିୟ ଭୂମିକାକୁ ସମାଲୋଚନା କରିଥିଲେ।
ସେ କହିଥିଲେ ଯେ ଏନପିଏସଓ ୟୁପିଏସପରି ମୁଖ୍ୟ ମୁଦ୍ରାରେ ମଧ୍ୟ ଏହି ଫେଡେରେସନମାନେ ରେଳ ବୋର୍ଡର
ନୀତିକୁ ଦୃଢ଼ ଭାବେ ବିରୋଧ କରିବାରେ ବିଫଳ ହୋଇଥିଲେ ଏବଂ ଶେଷରେ ସେମାନେ ବୋର୍ଡର ସିଦ୍ଧାନ୍ତ
ସହ ସମ୍ମତି ପ୍ରକାଶ କରିଥିଲେ ।
ଶ୍ରୀ ସାହୁ ଇଷ୍ଟ କୋଷ୍ଟ ରେଳୱେର ସମସ୍ତ କର୍ମଚାରୀଙ୍କୁ ଭାରତୀୟ ମଜଦୁର ସଂଘସହ ଅନୁବନ୍ଧିତ ଇଷ୍ଟ କୋଷ୍ଟ ରେଳୱେ ମଜଦୁର ସଂଘକୁ ଶକ୍ତିଶାଳୀ
କରିବାକୁ ଆହ୍ବାନ କରିଥିଲେ। ସେ ଏହାକୁ ଏକ ଜାତୀୟତାବାଦୀ, ଅରାଜନୈତିକ ଓ ଶ୍ରମିକ କେନ୍ଦ୍ରିତ ଟ୍ରେଡ୍ ୟୁନିଅନ ଭାବେ ବର୍ଣ୍ଣନା
କରିଥିଲେ।
ଧାରଣାକୁ ସଂଘର ଜାତୀୟ ଅଧ୍ୟକ୍ଷ ଶ୍ରୀ ବିଶ୍ବଜିତ ପରିଡ଼ା ମଧ୍ଯ ସମ୍ବୋଧନ କରି ରେଳ ବୋର୍ଡର
ପୋଷ୍ଟ ସରେଣ୍ଡର ନୀତି ଓ ମାନବ ସମ୍ପଦ କମାଇବା ନୀତିକୁ ଦୃଢ଼ ଭାବେ ବିରୋଧ କରିଥିଲେ।
ସେ କହିଥିଲେ ଯେ ଏପରି ଶ୍ରମିକ ବିରୋଧୀ ସିଦ୍ଧାନ୍ତ ଭାରତୀୟ ରେଳର କାର୍ଯ୍ୟକୁଷଳତାକୁ
କ୍ଷତିଗ୍ରସ୍ତ କରିବା ସହ କର୍ମଚାରୀଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ଡିଭିଜନ
ସେକ୍ରେଟାରୀ ଶ୍ରୀ ଅଶ୍ବିନ କୁମାର ସାହୁ, ଶ୍ରୀ ଦେବଦତ୍ତ ରାୟ ଏବଂ ଶ୍ରୀ ସନ୍ତୋଷ
ପରିଜା ମଧ୍ଯ ତୁରନ୍ତ ପୋଷ୍ଟ ସରେଣ୍ଡର ନୀତି ପ୍ରତ୍ୟାହାର ଓ ସମସ୍ତ ଖାଲିପଦ ପୂରଣ ପାଇଁ ଦାବି
କରିଥିଲେ ।
କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘର ବିଭିନ୍ନ ନେତାମାନେ ମଧ୍ୟ ସମ୍ବୋଧନ କରିଥିଲେ। ସେଥିରେ
ଓଡ଼ିଶା ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଗଣେଶ ମିଶ୍ର, ରାଜ୍ୟ ଅଧ୍ଯକ୍ଷ ଶ୍ରୀ ବାଦଲ ମହାରାଣା ଓ ରାଜ୍ୟ ସାଧାରଣ ସମ୍ପାଦକ
ଶ୍ରୀ ପୃଥ୍ୱୀରାଜ ପଣ୍ଡା ଉପସ୍ଥିତ ଥିଲେ । ସେମାନେ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇ
କର୍ମଚାରୀଙ୍କ ଅଧିକାର ଓ ଚାକିରି ସୁରକ୍ଷା ପାଇଁ ନିରନ୍ତର ସଂଘର୍ଷର ଆଶ୍ବାସନ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା