
ଜୟପୁର, ୩୦ ମେ (ହି.ସ.) ଜୟପୁର ସହରର ଉପକଣ୍ଠ ୨୬ ନମ୍ବର ଜାତୀୟ ରାଜପଥ ବାରିଣିପୁଟ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବାଇକର ଆରୋହୀ ଗୁରୁତର ଭାବେ ଆହତ ହୋଇ ବିଶାଖାପଟଣାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ମୃତକ କୋରାପୁଟ ସଦରଥାନା କୋଲାବନଗରର ଯୁବକ ଟୁନା ଖୋସ୍ଲା (୨୦) ଏବଂ ଅନ୍ୟ ବାଇକର ଚାଳକ ଜୟପୁର ସଦରଥାନା କେରାପୁଟ ଗ୍ରାମର ନବୀନ ଟାକ୍ରୀ (୩୦) । ଗୁରୁତର କୋଲାବ ନଗରର ମୋହିତ ଖରା (୧୮) । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଉଭୟ ବାଇକ ଦୃତଗତି ଯାଉଥିବା ବେଳେ ଘଟଣାସ୍ଥଳରେ ଜାତୀୟ ରାଜପଥରେ ବୁଲାଣିରେ ଉଭୟ ବାଇକ ନିୟନ୍ତ୍ରଣ ହରାଇ ମୁହାଁମୁହିଁ ଧକ୍କାରେ ଏହି ମୁମୁର୍ଷ ଦୁର୍ଘଟଣା ଘଟିଥିଲା । କିନ୍ତୁ କେଉଁ ବାଇକ କେଉଁ ଆଡେ ଯାଉଥିଲା ଏହା ସ୍ପଷ୍ଟ ହୋଇପାରିନାହିଁ । ଖବରପାଇ ବାରିଣିପୁଟ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ବାଇକକୁ ରାସ୍ତା ପାର୍ଶ୍ୱକୁ ଉଠାଇନେବା ସହିତ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ଏବଂ ପ୍ରଥମେ ସମସ୍ତ ୩ ଜଣ ଗୁରୁତରଙ୍କୁ ସ୍ଥାନୀୟ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଳୟର ଜଣେ ବାଇକ ଚାଳକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଯୁବକ ଗୁରୁତର ରହିଥିବା ଯୋଗୁଁ ତାଙ୍କୁ ବିଶାଖପାଟଣା ସ୍ଥାନାନ୍ତରିତ କରାଯାଇଥିବା ନେଇ ବାରିଣିପୁଟ ଫାଣ୍ଡି ଅଧିକାରୀ ଏ.ଏସ.ଆଇ ତିରୁପତି ଶବର ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି