
ସମ୍ବଲପୁର,୩୦, ମେ (ହି.ସ.) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜମନକିରା ଥାନା ପୋଲିସ ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଶୁକ୍ରବାର ଅଦାଲତ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୨ ମେ ତାରିଖରେ ମହୁଲପାଲି ଥାନା ଅନ୍ତର୍ଗତ ଲାଇଗୁରା ଗ୍ରାମର ଗୋପାଳ ପେଣ୍ଠେଇ (୨୩) ଲେଡିମାହୁଲ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ପରେ ସେ ନାବାଳିକାଙ୍କ ଇଚ୍ଛା ବିରୋଧରେ ଓ ବିନା ସମ୍ମତିରେ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା।
ଏନେଇ ଜମନକିରା ଥାନାରେ କେସ୍ ନମ୍ବର–୮୬/୨୦୨୬ ରୁଜୁ ହୋଇଥିଲା। ମାମଲାର ତଦନ୍ତ ସମୟରେ ବିଏନଏସ୍ର ଧାରା ୧୩୭(୨) ସହ ୬୪(୧) ଏବଂ ପୋକ୍ସୋ ଆଇନ–୨୦୧୨ର ଧାରା–୬ ଯୋଡ଼ାଯାଇଥିଲା।
ପୋଲିସ ତଦନ୍ତ ଚଳାଇ ଶୁକ୍ରବାର ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଗୋପାଳ ପେଣ୍ଠେଇଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଅଦାଲତକୁ ପଠାଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ