ଯୋଜନା ନାମରେ ସରକାରୀ ଅନୁଦାନର ଅପବ୍ୟବହାର : ବ୍ୟବହାର ହେଉନି ପୁରୁଣା ଗୋଷ୍ଠୀ କେନ୍ଦ୍ର, ପାଖରେ ତିଆରି ଚାଲିଛି ନୂଆ ଗୃହ
ଚମ୍ପୁଆ, ୩୦ ମଇ (ହି.ସ.)- ଚମ୍ପୁଆ ବ୍ଲକରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ସରକାରୀ ଅନୁଦାନର ଅପବ୍ୟବହାର ନେଇ ଏକ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି। ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ ଗ୍ରାମାଞ୍ଚଳରେ ବିକାଶ ନାମରେ କେବଳ ଗୃହ ପରେ ଗୃହ ନିର୍ମାଣ କରାଯାଉଛି। ଏହା ଦ୍ୱାରା ଜନସାଧାର
ଯୋଜନା ନାମରେ ସରକାରୀ ଅନୁଦାନର ଅପବ୍ୟବହାର : ବ୍ୟବହାର ହେଉନି ପୁରୁଣା ଗୋଷ୍ଠୀ କେନ୍ଦ୍ର, ପାଖରେ ତିଆରି ଚାଲିଛି ନୂଆ ଗୃହ


ଚମ୍ପୁଆ, ୩୦ ମଇ (ହି.ସ.)- ଚମ୍ପୁଆ ବ୍ଲକରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ସରକାରୀ ଅନୁଦାନର ଅପବ୍ୟବହାର ନେଇ ଏକ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି। ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ ଗ୍ରାମାଞ୍ଚଳରେ ବିକାଶ ନାମରେ କେବଳ ଗୃହ ପରେ ଗୃହ ନିର୍ମାଣ କରାଯାଉଛି। ଏହା ଦ୍ୱାରା ଜନସାଧାରଣ ଉପକୃତ ହେବା ବଦଳରେ ଠିକାଦାର, ଯନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀମାନେ ମାଲେମାଲ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ଉଚ୍ଚବାଲି ପଞ୍ଚାୟତର ମାଳିପଷୀ ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ବିଗତ ବିଜେଡି ସରକାର ଅମଳରେ ଏହି ଗ୍ରାମରେ ଏକ 'ଆମ ଗୋଷ୍ଠୀକେନ୍ଦ୍ର' ଗୃହ ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣ ପରଠାରୁ ଏହି ଗୃହଟି କୌଣସି ବ୍ୟବହାରରେ ନଆସି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ଗୃହ ସମ୍ମୁଖ ଭାଗ ଏବେ ଜଙ୍ଗଲ ଓ ଲତାବୁଦାରେ ପରିପୂର୍ଣ୍ଣ ହୋଇ ରହିଛି। ଅଥଚ, ଏହି ଅଦରକାରୀ ପଡ଼ିଥିବା ଗୃହ ନିକଟରେ ଏବେ ପୁଣି ଆଉ ଗୋଟିଏ ନୂତନ ଗୋଷ୍ଠୀ କେନ୍ଦ୍ର ଗୃହର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଚମ୍ପୁଆ ପଞ୍ଚାୟତ ସମିତି ନାମରେ କାର୍ଯ୍ୟାଦେଶ ଥାଇ ୪ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଅଟକଳରେ ଏହି ଦ୍ୱିତୀୟ ଗୃହଟି ନିର୍ମାଣ କରାଯାଉଛି। ପୂର୍ବରୁ ନିର୍ମିତ ଗୃହଟି ଅଦରକାରୀ ହୋଇ ପଡ଼ିଥିବା ବେଳେ, ସେହି ସ୍ଥାନରେ ପୁଣି ଏକ ନୂଆ ଗୃହ ନିର୍ମାଣ କରି ସରକାରୀ ଅର୍ଥକୁ ପାଣି ଭଳି ବୁହାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ନୂତନ ଗୃହ ପ୍ରକୃତରେ କାହା ସ୍ୱାର୍ଥରେ ଏବଂ କେଉଁ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପିସି କାରବାର ଓ ଅର୍ଥର ହରିଲୁଟ୍ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande