
ଘଟଗାଁ୩୦ ମେ(ହି ସ) : ହାଟଡିହି ତହସିଲ ଅନ୍ତର୍ଗତ ବଞ୍ଚୋ ଗ୍ରାମପଞ୍ଚାୟତ ଅଧିନ ଚିନ୍ଦ୍ରା ପୋଖରୀରୁ ଦିନ ଦ୍ବିପହରରେ ମେସିନ ଓ ଟ୍ରାକ୍ଟର ଲଗାଇ ଶହଶହ ଟ୍ରିପ ମାଟି ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଖବରରୁ ଜଣାଯାଇଛି ଯେ ବଞ୍ଚୋ ଗ୍ରାମପଞ୍ଚାୟତ ଅଧିନ ଚିନ୍ଦ୍ରା ପୋଖରୀ ଏକ ପୁରାତନ ଓ ଆୟତନ ଅନୁସାରେ ପ୍ରାୟତଃ ବଡ଼ ହୋଇଥିଲେ ବି ଏହା ଉପରେ ପାଖ ଆଖ ଅଞ୍ଚଳର ୩/୪ଟି ଗାଁର ଲୋକେ ନିର୍ଭର କରିଥାନ୍ତି। ପୂର୍ବେ ଦୁଇ ଦୁଇ ଥର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇ ଏମଜିଏନ ଆର ଇଜିଏସ ଯୋଜନାରେ ଏହି ପୋଖରୀର ମାଟି ଖୋଳା କାର୍ଯ୍ୟ କରାଯାଇଛି। କିନ୍ତୁ ଖୋଳା ମାଟି ସବୁ ପୋଖରୀ ହୁଡ଼ାରେ ପକାଯାଇ ଥାଏ। ବର୍ତମାନ ସମୟରେ ଦୁଇଦିନ ଧରି ଚିନ୍ଦ୍ରାପୋଖରୀ ଭିତରେ ୨ଟି ଜେସିବି ମେସିନ ମାଟି ଖୋଳି ଟ୍ରାକ୍ଟର ଉପରେ ଲୋଡ୍ ଦେଉଥିବା ବେଳେ, ଟ୍ରିପ ଟ୍ରିପ ବେଆଇନ୍ ଭାବେ ମାଟି ବୁହାଇ ବିଭିନ୍ନ ବାରି, ଘର ,ଖଳା ରେ ପକାଯାଇଥିବା ଦେଖିବାକୁ ମିଳିଛି।କାହା ଅନୁମତିରେ ପୋଖରୀ ଭିତରେ ମେସିନ ପୁରାଇ ମାଟି ଖୋଳା ଚାଲିଛି ଓ ମାଟି ଚାଲାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆନନ୍ଦପୁର ଉପଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ