
ଝାରସୁଗୁଡା, ୩୦ ମଇ (ହି.ସ.)- ଲୋକ ଅଦାଲତ, ମଧ୍ୟସ୍ଥତା ଓ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କଲା ଡିଏଲଏସଏ। ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଝାରସୁଗୁଡ଼ାର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଲକି ଗ୍ରାମ ପଞ୍ଚାୟତର ସମ୍ମିଳନୀ କକ୍ଷଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଝାରସୁଗୁଡ଼ାର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଯଥା ଲୋକ ଅଦାଲତ, ମଧ୍ୟସ୍ଥତା ଏବଂ ସାର୍ବଜନୀନ ଉପଯୋଗୀ ସେବା ପାଇଁ ସ୍ଥାୟୀ ଲୋକ ଅଦାଲତ (ପିଏଲଏ)ର ପ୍ରତିଷ୍ଠା, କାର୍ଯ୍ୟକାରିତା ଓ ଏହା ଦ୍ୱାରା ସମାଧାନ ହୋଇପାରୁଥିବା ବିବାଦଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହିପରି ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ର ଅଧ୍ୟାୟ-ଭି ଆଇ ଏ ଅନୁଯାୟୀ ଉପଲବ୍ଧ ସୁବିଧା ଓ ଯୋଜନାଗୁଡ଼ିକ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା)ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ଡିଏଲଏସଏର ସଚିବ ଆଲୋକମୟୀ ପ୍ରଧାନ ଏବଂ ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ସାଜଦା ବେଗମ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଆଇନଗତ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ଅତିଥିମାନେ ମାଗଣା ଆଇନ ସେବା, ପୀଡ଼ିତା କ୍ଷତିପୂରଣ ଯୋଜନା, ଲୋକ ଅଦାଲତ ଓ ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲାର ଶୀଘ୍ର ସମାଧାନ ଏବଂ ନାଲ୍ସାର ଜାତୀୟ ହେଲ୍ପଲାଇନ ନମ୍ବର ୧୫୧୦୦ ବିଷୟରେ ସଚେତନତା ସୃଷ୍ଟି କରିଥିଲେ।
ଏହି ଅବସରରେ ବର୍ତ୍ତମାନ ଚାଲିଥିବା ମଧ୍ୟସ୍ଥତା ଅଭିଯାନ ଏବଂ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସନ୍ତା ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ‘ସମାଧାନ ସମାରୋହ’ରେ କେଉଁ ପ୍ରକାରର ମାମଲା ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇପାରିବ, ସେ ସମ୍ପର୍କରେ ପ୍ରାଧିକରଣର ସଚିବ ପ୍ରଧାନ ବିସ୍ତୃତ ସୂଚନା ଦେଇଥିଲେ ଏବଂ ଏହାର ସୁଯୋଗ ନେବାକୁ ଲୋକମାନଙ୍କୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମହିଳା, ସାଧାରଣ ଜନତା, ଡିଏଲଏସଏର ପ୍ୟାନେଲ ଓକିଲ ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ। ସବିଶେଷ ସୂଚନା ପାଇଁ ଜାତୀୟ ହେଲ୍ପଲାଇନ ନମ୍ବର ୧୫୧୦୦ କିମ୍ବା ଡିଏଲଏସଏ, ଝାରସୁଗୁଡ଼ା କାର୍ଯ୍ୟାଳୟର ନମ୍ବର ୦୬୬୪୫-୨୭୩୪୭୦ରେ ଯୋଗାଯୋଗ କରିବାକୁ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ