



ବଲାଙ୍ଗିର, 30 ମେ (ହି.ସ.): ଆଜି ଅସ୍ଵାନ ସମ୍ମିଳନୀକକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ମାନ୍ୟବର ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ତଥା କଣ୍ଟାବାଞ୍ଜି ବିଧାୟକ, ଲକ୍ଷ୍ମଣ ବାଗ, ଅଧ୍ୟକ୍ଷା ଜିଲ୍ଲାପରିଷଦ ଦେବକୀ ସାହୁ, ମାନ୍ୟବର କ୍ୟାବିନେଟ ମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)ଙ୍କ ପ୍ରତିନିଧି, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ମାନ୍ୟବର ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୃତ କୁମାର ପଣ୍ଡା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରିୟବ୍ରତ ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭିନା ଭୋଇ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଗଗନ କୁମାର କିଶାନ, ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ସେଠ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝିଙ୍କ ସହ ଜନସ୍ୱାସ୍ଥ୍ୟ ବିଭାଗ, ଜଳ ସେଚନ ବିଭାଗ, ଜଳ ସମ୍ପଦ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆସନ୍ତା ବର୍ଷା ମୌସୁମୀରେ ସମ୍ଭାବ୍ୟ ବନ୍ୟା, ବାତ୍ୟା, ବଜ୍ରପାତ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି। ସମସ୍ତ CHC, PHC ଓ ଉପକେନ୍ଦ୍ରରେ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଗଠନ କରାଯିବା ସହିତ ସାପ କାମୁଡା ଇଞ୍ଜେକ୍ସନ୍ (ASV) ଓ ORS ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ପ୍ରତି ବ୍ଲକରେ ଶୁଖିଲା ଖାଦ୍ୟ, କିରୋସିନ, ପଲିଥିନ ଓ ଜୀବନରକ୍ଷାକାରୀ ଔଷଧର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହିତ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ମରାମତି କରିବା, ଡ୍ରେନେଜ ବ୍ୟବସ୍ଥାକୁ ସଚଳ ରଖିବା ଏବଂ ବର୍ଷାଜଳର ଅବାଧ ପ୍ରବାହ ସୁନିଶ୍ଚିତ କରିବା ପାଇଁ ଜଳସେଚନ, ପଞ୍ଚାୟତିରାଜ ଓ ସହରଞ୍ଚଳ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା, ବ୍ଲକସ୍ତରରେ ୨୪x୭ କଣ୍ଟ୍ରୋଲ୍ ରୁମ୍ ୧୫ ଜୁନ୍ରୁ କାର୍ଯ୍ୟକ୍ଷମ କରାଯିବ। ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲା ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୦୬୬୫୨-୨୩୦୯୬୯ ଓ ୯୪୩୮୭୭୬୩୯୭ ଜାରି କରାଯାଇଛି । ପଶୁ ସମ୍ପଦ ବିଭାଗକୁ ପଶୁ ଟୀକାକରଣ ଓ ଚିକିତ୍ସା ସେବା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି ବିଭାଗକୁ ବନ୍ୟା ପରବର୍ତ୍ତୀ କୃଷି ସହାୟତା ଯୋଜନା ପ୍ରସ୍ତୁତ କରିବା ସହିତ ଚାଷୀଙ୍କ ପାଇଁ ବିହନ, ସାର ଓ କୀଟନାଶକର ଉପଲବ୍ଧତା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା, ଜରୁରୀକାଳୀନ ପରିସ୍ଥିତି ଓ ରାସ୍ତା ଅବରୋଧ ନିରାକରଣ ପାଇଁ ODRAF, ଅଗ୍ନିଶମ ବାହିନୀ, ପୋଲିସ୍ ଟିମ୍ ଓ ପୌର ସଂସ୍ଥାଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମ ସ୍ତରରେ ପଞ୍ଚାୟତ ବୈଠକ ଓ ସ୍କୁଲ ମାଧ୍ୟମରେ ବଜ୍ରପାତ ଓ ବନ୍ୟା ସମୟରେ କରଣୀୟ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଅଯଥା ଗୁଜବ ଓ ଅପ୍ରଚାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲାପାଳ କହିଛନ୍ତି, ଜନଜୀବନ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା । କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ। ସମସ୍ତ ବିଭାଗ ନିଜ ନିଜ ଦାୟିତ୍ୱ ତୁରନ୍ତ ସମ୍ପନ୍ନ କରିବାକୁ ପଡିବ। ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିଜ-ନିଜ କାର୍ଯ୍ୟକ୍ଷେତ୍ରରେ ସତର୍କ ରହି ସ୍ଥିତି ଉପରେ ନିରନ୍ତର ନଜର ରଖିବା ଓ ପ୍ରତିଦିନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟ ପ୍ରସ୍ତୁତି ଓ ପରିଚାଳନା ବୈଠକରେ ଆଭାସୀ ମାଧ୍ୟମରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନାନ୍ୟା ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ