ବହୁ ଅପେକ୍ଷା ପରେ ଫୁଲବାଣୀ ଶ୍ରୀମନ୍ଦିର ରଥ ପାଇଁ ରଥ କାଠ ଅନୁକୂଳ
Ratha yatra elected News of Phulbani
ଫୋଟ


କନ୍ଧମାଳ, ୩୦ ମଇ(ହି.ସ.) – ଅଧିକାଂଶ ଜିଲ୍ଲାରେ ରଥଯାତ୍ରାରେ ତିନୋଟି ରଥ ପାଇଁ ବନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପର୍ଯ୍ୟାପ୍ତ କାଠ ଯୋଗାଇ ଦିଆଯାଉଥିବାବେଳେ ଫୁଲବାଣୀ ସହରର ଗୋଟିଏ ରଥ ନିର୍ମାଣ ପାଇଁ କାଠର ଅଭାବ ଦେଖିବାକୁ ମିଳୁଛି। ଯାହା ସୂଚନା ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ଶ୍ରୀମନ୍ଦିର ରଥନିର୍ମାଣ ପାଇଁ ବହୁ କଷ୍ଟରେ ରଥ କାଠ ଅନୁକୂଳ ହୋଇଛି। ମନ୍ଦିର ପରିଚାଳନା କମିଟି ସଭାପତି ସୁନାସିର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ନୂତନ ରଥ ନିର୍ମାଣ ପାଇଁ ମହାରଣାଙ୍କ ଆକଳନ ଏବଂ ଆବଶ୍ୟକ କାଠ ଖଣ୍ଡ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଚିଠି ନଂ.୪/୬.୦୫.୨୬ରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ଉପଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରାଯାଇଥିଲା। ଉକ୍ତ ପତ୍ରକୁ ବନ ଖଣ୍ଡ ଅଧିକାରୀ ଫୁଲବାଣୀ ରେଞ୍ଜ ଅଧିକାରିଣୀଙ୍କ ନିକଟକୁ ପଠାଇଥିଲେ। ଦୀର୍ଘ ୨୦ ଦିନ ବିତି ଯାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ଉତର ଆସିପାରିଲା ନାହିଁ। ଗତ ଦୁଇ ତିନି ଦିନ ତଳେ ମନ୍ଦିର କମିଟି ସଦସ୍ୟଙ୍କ ବନ ଖଣ୍ଡ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ ପରେ ମାଦିକୁନ୍ଦା ଛକ ନିକଟରେ ପଡ଼ି ରହିଥିବା କାଠ ଗଣ୍ଡି ନେବାକୁ ଆଦେଶ ମିଳିଥିଲା। ଯାହାକି ଜବର ଦଖଲ ଆମିଷ ଦୋକାନ ଉଛେଦ ପରେ ଆମିଷ କଟା କାଠ ଗଣ୍ଡିଗୁଡ଼ିକ ଥିଲା। ସେହି କାଠଗୁଡ଼ିକୁ ପରିଚାଳନା କମିଟି ପକ୍ଷରୁ ବାରଣ କରାଯାଇଥିଲା। ପରେ ସର୍କିଟ ହାଉସ ଫୁଲବାଣୀ ଭିତରେ ବହୁ ବର୍ଷ ହେଲା ପଡ଼ି ରହିଥିବା ଶାଳ କାଠ ଗଣ୍ଡିକୁ ରଥ ନିର୍ମାଣକାରୀ ମହାରଣାମାନେ ଉପଯୁକ୍ତ ହେବ ମନେ କରି ପୂଜାବିଧି ପ୍ରକାରେ ରଥ କାଠ ଅନୁକୂଳ କରାଯାଇଥିଲା।

କାଠକୁ ଲୋଡିଂ କରିବା ପରେ ମଧ୍ୟ ସେଠାରୁ କାଠ ଆଣିବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଶାସନର ଆଦେଶକୁ ଅପେକ୍ଷା କରିବାକୁ ପଡ଼ିଥିଲା। ଯାହାର ଆଦେଶରେ ସବୁଜିମା ପ୍ରକୃତି ଧରାର ଜୀବ ଜନ୍ତୁ ଇତର ପ୍ରାଣୀ ପରିଚାଳିତ। ସେ ଆଉ କିଏ ନୁହଁନ୍ତି ସେ ଜଗତର ନାଥ ଜଗନ୍ନାଥ। ହେଲେ ସେହି ଜଗତର ନାଥ ଜଗନ୍ନାଥଙ୍କର ରଥ ନିର୍ମାଣ ନିମନ୍ତେ କାଠ ପାଇଁ ଅପେକ୍ଷା କରିବାକୁ ପଡ଼ୁଛି ପ୍ରଭୁଙ୍କୁ, ବାଃ ବାଃରେ ମାନବ ସମାଜ! ଏହା କେବଳ ଚଳିତ ବର୍ଷ ନୁହେଁ ଗତ ବର୍ଷ ମଧ୍ୟ ରଥ ନିର୍ମାଣ ନିମନ୍ତେ ବନ ବିଭାଗ ପକ୍ଷରୁ ଆବଶ୍ୟକ କାଠ ମିଳି ପାରି ନଥିଲା। ଫଳରେ ପୁରୁଣା କାଠକୁ ଯୋଡ଼ି ମରାମତି କରାଯାଇଥିଲା। କିଛିଦିନ ତଳେ ସେହି ସର୍କିଟ ହାଉସ ପରିସର ଭିତରୁ ଲୋକେ ଜାଳିବା ପାଇଁ ଗଣ୍ଡିଗୁଡ଼ିକୁ ଉଠେଇ ନେଇ ଯାଇଥିବାର କିଛି ଆଖପାଖ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି। ସେତେବେଳକୁ କାହାର ଆଦେଶକୁ ଅପେକ୍ଷା କରିବାକୁ ପଡ଼ୁନାହିଁ କି ପ୍ରଶାସନ ପାଖରେ ତାର ହିସାବ ରହୁନାହିଁ। କିନ୍ତୁ ବନ ବିଭାଗ କାଠ କଟାଳି କାଠ ନେଇଯାଉଥିବା ଲୋକଙ୍କୁ ଦେଖି ମଧ୍ୟ ସେହିମାନଙ୍କ ଉପରେ ଦୃଢ଼ ପଦକ୍ଷେପ ନେଉନାହାନ୍ତି ବରଂ ସେହିମାନଙ୍କୁ ପରୋକ୍ଷ ଭାବରେ ସାହାଯ୍ୟ କରି ଚାଲିଛନ୍ତି। ଏହାସହିତ ନିଜର କର୍ମଚାରୀଙ୍କୁ ଧରି ମଧ୍ୟ ଶାଳ, ପିଆଶାଳ କାଠ ନିଜ ଘରେ ବ୍ୟବହାର କରିଛନ୍ତି। କିନ୍ତୁ ଜଗନ୍ନାଥଙ୍କ ପାଇଁ କାଠ ଦେବାକୁ ଏତେ ଡେରି କାହିଁକି। ଏହାରି ଭିତରେ କଣ ଧର୍ମକୁ ବିରୋଧ କରୁନାହାଁନ୍ତି ତ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ସୁଚାରୁ ରୂପେ ହୋଇପାରିବ ବୋଲି ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande