
ଜୟପୁର, ୩୦ ମଇ (ହି.ସ.)- କୋରାପୁଟ ଜିଲ୍ଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡିର ଶୁଭାରମ୍ଭ ହେବ । ତେଣୁ ଆଜି ଜୟପୁର ଉପଖଣ୍ଡର ସ୍ଥାନୀୟ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଧାନ ସଂଗ୍ରହ ନେଇ ପ୍ରଶିକ୍ଷଣ ଏବଂ ଚାଷୀଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମବାୟ ବିଭାଗ ଉପ ନିବନ୍ଧକ ମୋନିକା ରାୟ, ଉପଜିଲ୍ଲାପାଳ ତଥା ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟିର ସଭାପତି ଯଦୁମଣି ନାୟକ ଏବଂ ବଜାର କମିଟିର ଉପାଧ୍ୟକ୍ଷ ଵାଲା ରାୟଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା । ଏହି ପ୍ରଶିକ୍ଷଣ ଓ ସଚେତନତା ଶିବିରକୁ ଜୟପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ତୁଷାର କାନ୍ତ ସେଠୀ ପରିଚାଳନା କରିଥିଲେ । ଏହି ଅବସରରେ ଜୟପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳର ସମସ୍ତ ଚାଷୀ ମାନେ ଏବଂ ସମସ୍ତ କମିଟିର ନିର୍ଦ୍ଦେଶକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଆସନ୍ତା ମଣ୍ଡି ଶୁଭାରମ୍ଭ ହେବା ସହିତ ସରକାର ଯେଉଁ ଧାନର ସର୍ବନିମ୍ନ ମୂଲ୍ୟ ୨୩ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ଏବଂ ବୋନସ ୮ ଶହ ଟଙ୍କା ଦେବା ପାଇଁ ନିଷ୍ପତି ନେଇଛନ୍ତି। ଚାଷୀମାନଙ୍କ ଅମଳ ଧାନର ଉଚିତ ମୂଲ୍ୟ ପାଇବେ ଏବଂ ସଠିକ ଭାବେ ଧାନର ମାନ ଯାଞ୍ଚ କରାଯାଇ କ୍ରୟ କରାଯିବା ନେଇ ଜୟପୁର ନିୟନ୍ତ୍ରିତ କମିଟି ଏବଂ ଯୋଗାଣ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉଚିତ ମାନର ଧାନ ଚାଷୀ ଆଣିବେ ଏବଂ ମଣ୍ଡିରେ ଠିକ ଢଙ୍ଗରେ ପହଞ୍ଚାଇବେ ଯାହା ଫଳରେ ଧାନର ମୂଲ୍ୟ ସର୍ବନିମ୍ନ ଯାହା ରହିଛି ତାଙ୍କର ପ୍ରାପ୍ୟ ଠିକ୍ ପାଇବେ ସେଥି ପ୍ରତି ଧ୍ୟାନ ଦିଆଯାଇଛି।
ଆଜିର ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟିର ନିର୍ଦ୍ଦେଶକ ଦେବେନ୍ଦ୍ର ବାହିନୀପତି, କୃଷ୍ଣଚନ୍ଦ୍ର ନେପାକ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶଙ୍କର ସେନ ଭୋଇ, ସହକାରୀ ଯୋଗାଣ ଅଧିକାରୀ ଏନ ଲଷ୍ମଣ ରାଓ ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ । ଏହିପରି କ୍ରୟକାରୀ ସଂସ୍ଥା ଭାବେ ଲ୍ୟାମ୍ପ ଏବଂ ପାଣିପଞ୍ଚାୟତର କର୍ମଚାରୀ ଏବଂ ନିୟନ୍ତ୍ରିତ ବଜାର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି