
- ପ୍ରଥମ ଦିନରେ ୨ଲକ୍ଷ ୫୯ହଜାର ୧୬୬ ଜଣ ଭୋଟର ଙ୍କୁ ପରିଗଣନା ଫର୍ମ ବଂଟନ
ଭୁବନେଶ୍ୱର, ୩୦ ମଇ (ହି.ସ.)- ଓଡ଼ିଶାରେ ଶନିବାର ଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି।
ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ )ନିଜ ନିଜ ଅଂଚଳରେ ଘରକୁ ଘର ବୁଲି ଭୋଟରମାନଙ୍କ ତଥ୍ୟ ଯାଂଚ କରୁଛନ୍ତି।ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରାଯାଉଛି।ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏହି ସଘନ ଅଭିଯାନ ଜାରି ରହିଛି।
ଘରକୁ ଘର ପରିଗଣନା ସମୟରେ, ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-୩) ଯୋଗାଇ ଦିଆଯାଉଛି। ପ୍ରଥମ ଦିନରେ ୨ଲକ୍ଷ ୫୯ହଜାର ୧୬୬ ଜଣ ଭୋଟରଙ୍କୁ ବିଏଲଓ ମାନଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରୁଛନ୍ତି ଏବଂ ଦ୍ୱିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରାଯାଉଛି,ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ ।
ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ୩୩ ହଜାର ୨୬ ଜଣଙ୍କୁ ନିଯୁକ୍ତ କରାଯାଇଛି । ବିଜେପିରୁ ସର୍ବାଧିକ ୧୯ ହଜାର ୩୮୦, ବିଜେଡି ୮ ହଜାର ୮୮୧, କଂଗ୍ରେସ ୪ ହଜାର ୬୫୮, ସିପିଆଇଏମ୍ ୬୦, ବିଏସ୍ପି ପକ୍ଷରୁ ୪୭ ଜଣ ବି ଏଲଏ ନିଯୁକ୍ତ ହୋଇଛନ୍ତି।
ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (ଭୋଟରସ୍.ଇସିଆଇ.ଜିଓଭି.ଇନ୍ ) ରେ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ବିଏଲଓ ମାନଙ୍କୁ ଫର୍ମ ପ୍ରଦାନ କରିପାରିବେ।ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା ରାଜ୍ୟରେ ଏକ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ। ସର୍ଭେ ସମୟରେ ସମସ୍ତ ଭୋଟର ବିଏଲଓ ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା