
କ୍ୟାରିୟର ଗଠନ ଓ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ
ଝାରସୁଗୁଡା ୩୦ ମେ (ହି.ସ.): ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ (ଡିଏମଏଫ୍) ସମ୍ମିଳନୀ କକ୍ଷରେ ପିତୃ-ମାତୃହୀନ ଏବଂ ଏକକ ଅଭିଭାବକ ଶିଶୁମାନଙ୍କ ପାଇଁ ବୈଷୟିକ ଓ ବୃତିଗତ ଶିକ୍ଷା ସମ୍ବନ୍ଧୀୟ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ୟାରିୟର ଓ ରୋଜଗାର ସୁଯୋଗ ଉପରେ ଆଲୋଚନା କରାଯାଇଥିଲା।
ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ସଙ୍ଗୀତା ମେହେର ଛାତ୍ରଛାତ୍ରୀମାନଙ୍କୁ ନିଜ ରୁଚି ଓ ଆଗ୍ରହ ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜ୍ୱଳ କ୍ୟାରିୟର ଗଠନ କରିବାକୁ ପରାମର୍ଶ ଦେଇଥିଲେ। ସେ ଜିଲ୍ଲା ପ୍ରଶାସନ ଏବଂ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଉପଲବ୍ଧ ବିଭିନ୍ନ ପ୍ରଶିକ୍ଷଣ ଓ ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସ୍ୱାଗତ ଭାଷଣ ରଖି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଛାତ୍ରଛାତ୍ରୀଙ୍କୁ ନିୟମିତ ଅଧ୍ୟୟନ ସହ ବୃତିଗତ ଶିକ୍ଷା ପ୍ରତି ଆଗ୍ରହୀ ହେବାକୁ ପ୍ରେରିତ କରିଥିଲେ।
ରାଜ୍ୟ ହୋଟେଲ ମ୍ୟାନେଜମେଂଟ ପ୍ରତିଷ୍ଠାନ, ବଲାଙ୍ଗୀରର ପ୍ରଶିକ୍ଷକ ସାହିଲ ସାହୁ ଉଚ୍ଚଶିକ୍ଷା, କ୍ୟାରିୟର ଗଠନ ଓ ରୋଜଗାର କ୍ଷେତ୍ରର ବିଭିନ୍ନ ସମ୍ଭାବନା ସମ୍ପର୍କରେ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ସରକାରୀ ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ), ଝାରସୁଗୁଡାର ପ୍ରଶିକ୍ଷକ ସୌରଭ ରଞ୍ଜନ ପଲେଇ ଓ ଦେବାଶିଷ ସାହୁ ବିଭିନ୍ନ ଟ୍ରେଡ୍, ପାଠ୍ୟକ୍ରମ ଏବଂ ତାଲିମ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟାଳୟର ସ୍ନେହା ଛାତ୍ରଛାତ୍ରୀଙ୍କୁ କାଉନସେଲିଂ ପ୍ରଦାନ କରିଥିଲେ।
ଅଧ୍ୟକ୍ଷୀୟ ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଲକ୍ଷ୍ୟ ଅନୁଯାୟୀ ଶିକ୍ଷା ଗ୍ରହଣ କରି ସଫଳ କ୍ୟାରିୟର ଗଠନ କରିବା ସହ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ଉଠିବାକୁ ଆହ୍ୱାନ ଜଣାଇଥିଲେ।
ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଅଭିଭାବକ ଅଂଶଗ୍ରହଣ କରିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ