
କୋଲକାତା, ୩୦ ମଇ(ହି.ସ.) – ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତୀ ହିଂସାରେ ପ୍ରଭାବିତ ଟିଏମ୍ସି କର୍ମୀଙ୍କ ପରିବାରକୁ ଭେଟିବା ପାଇଁ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୋନାରପୁର ଗସ୍ତ କରିଥିବା ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଶନିବାର ଦିନ ପ୍ରତିବାଦର ସମ୍ମୁଖୀନ ହୋଇଥିଲେ। ବିକ୍ଷୋଭକାରୀମାନେ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀମାନେ ଅଣ୍ଡା ଏବଂ ଜୋତା ଫିଙ୍ଗୁଥିବା ଏବଂ ଧକ୍କା ଦେବା ଅଭିଯୋଗ ମଧ୍ୟ ଆସିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅଭିଷେକ ବାନାର୍ଜୀ ସୋନାରପୁରରେ ପ୍ରବେଶ କରିବା ସମୟରେ ଏକ ଚାରି ଚକିଆ ଯାନ ଛାଡ଼ି ମୋଟର ସାଇକେଲରେ ଯାଉଥିଲେ। ସେହି ସମୟରେ ବିକ୍ଷୋଭକାରୀଙ୍କ ଏକ ଭିଡ଼ ତାଙ୍କ ପଥକୁ ଘେରି ରହିଥିଲା। ପରିସ୍ଥିତି ଉତେଜନାପୂର୍ଣ୍ଣ ହେବା ପରେ ସେ ସୁରକ୍ଷା ପାଇଁ କ୍ରିକେଟ୍ ହେଲମେଟ ପିନ୍ଧି ନିଜ କାର୍ଯ୍ୟକ୍ରମ ଜାରି ରଖିଥିଲେ। ସୂଚନା ଦିଆଯାଇଛି ଯେ ବିକ୍ଷୋଭ ସମୟରେ ତାଙ୍କ ଉପରକୁ ଅଣ୍ଡା ଏବଂ ଜୋତା ମଧ୍ୟ ଫିଙ୍ଗାଯାଇଥିଲା ଏବଂ ତାଙ୍କ ସାର୍ଟର ବଟନ୍ ଭାଙ୍ଗି ଦିଆଯାଇଥିଲା।
ଅଭିଷେକ ବାନାର୍ଜୀ ସୋନାରପୁରରେ ପହଂଚିବା ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନେକ କଳା ପତାକା ଧରି ଫେରିଯାଅ’ ସ୍ଲୋଗାନ ଦେଇଥିଲେ। ପାଟୁଲିର ଧଲାଇ ବ୍ରିଜରୁ ସୋନାରପୁରର କାମ୍ରାବାଦ ଅଂଚଳ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ବିଜେପି) କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।
ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ପ୍ରାୟ ତିନି ସପ୍ତାହ ପରେ ଅଭିଷେକ ବାନାର୍ଜୀଙ୍କ ଏହା ପ୍ରଥମ ପ୍ରମୁଖ ରାଜନୈତିକ କାର୍ଯ୍ୟକ୍ରମ ଥିଲା। ନିର୍ବାଚନ ପରବର୍ତୀ ହିଂସାରେ ପ୍ରଭାବିତ ତୃଣମୂଳ କଂଗ୍ରେସ କର୍ମୀଙ୍କ ପରିବାରକୁ ଭେଟିବା ପାଇଁ ସେ ସୋନାରପୁର ଏବଂ ବେଲେଘାଟା ଅଂଚଳରେ ଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି