
ନୂଆଦିଲ୍ଲୀ, ୮ ମେ (ହି.ସ.) - ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ।
ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ, ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକର ପ୍ରସ୍ତୁତି, ଆଗୁଆ ଚେତାବନୀ ବ୍ୟବସ୍ଥା, ସମ୍ବଳର ନିୟୋଜନ ଏବଂ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟର ସମୀକ୍ଷା କରାଯିବ। ଏହି ବୈଠକରେ ଜୀବନ ଓ ସମ୍ପତି ନଷ୍ଟକୁ ସର୍ବନିମ୍ନ ରଖିବା ପାଇଁ ପଦକ୍ଷେପ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ବିବୃତିରେ କୁହାଯାଇଛି। ଏହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ମଧ୍ୟରେ ଉନ୍ନତ ସମନ୍ୱୟ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍. ଡି. ଆର.ଏଫ୍.) କୁ ସୁଦୃଢ଼ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ 'ଶୂନ୍ୟ ଜୀବନହାନି' ଲକ୍ଷ୍ୟ ଉପରେ ନିରନ୍ତର ଧ୍ୟାନ ଦେଇଛି।
ଏହି ବୈଠକରେ ସାରା ଦେଶରେ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯିବ। ଏଥିରେ ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ ଏବଂ ପୂର୍ବାନୁମାନକାରୀ ବୈଜ୍ଞାନିକ ଅଗ୍ରଗତି ଅନ୍ତର୍ଭୁକ୍ତ ।
ଉରଦାୟିତ୍ୱ ସୁନିଶ୍ଚିତ କରିବା ଏବଂ ବିଭିନ୍ନ କାର୍ଯ୍ୟକଳାପର ସମନ୍ୱିତ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଗତ ବର୍ଷ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତିଗୁଡ଼ିକର କାର୍ଯ୍ୟକାରିତାର ସ୍ଥିତିକୁ ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଆକଳନ କରିବେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ