
ଶିକ୍ଷା ସଂସ୍କାର, ମହିଳା ସୁରକ୍ଷା, ସହରୀ ମାଓବାଦ ଓ ବୈଶ୍ୱିକ ପରିସ୍ଥିତି ଉପରେ ଚାରିଟି ପ୍ରସ୍ତାବ ଗୃହୀତ
ଭୁବନେଶ୍ୱର, ୦୧ ଜୁନ (ହି.ସ) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଭୁବନେଶ୍ୱରସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ସଫଳତାର ସହ ସମ୍ପନ୍ନ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାରେ ଆୟୋଜିତ ଏହି ବୈଠକରେ ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର, ଲଦାଖ, ପଞ୍ଜାବ, ଦିଲ୍ଲୀ, ପୂର୍ବୋତର ଭାରତ, ତାମିଲନାଡୁ ସମେତ ଦେଶର ସମସ୍ତ ପ୍ରାନ୍ତରୁ ୪୦୦ରୁ ଅଧିକ ପ୍ରତିନିଧି କାର୍ଯ୍ୟକର୍ତା ଯୋଗଦେଇଥିଲେ।
ବୈଠକରେ “ଶିକ୍ଷା ସଂସ୍କାରକୁ ଫଳପ୍ରଦ କରିବା ପାଇଁ ତୃଣମୂଳ ସ୍ତରରେ ପ୍ରଭାବଶାଳୀ ଉପଯୋଗୀ ଆବଶ୍ୟକ”, “ସଶସ୍ତ୍ର ମାଓବାଦର ଅବସାନ କାଳରେ ସହରୀ ମାଓବାଦ ଏକ ଗମ୍ଭୀର ସମସ୍ୟା”, “ସଂଗଠିତ ଅପରାଧିକ ଓ ଜିହାଦୀ ମାନସିକତା ଦ୍ୱାରା ମହିଳାଙ୍କ ଶୋଷଣ ଏବଂ ଧର୍ମାନ୍ତରଣ ଉପରେ ରୋକ” ଏବଂ “ବୈଶ୍ୱିକ ଅନିଶ୍ଚିତତାର ସମୟରେ ସଂଯମ ଓ ସଜାଗତାର ସାମୂହିକ ରାଷ୍ଟ୍ରୀୟ ସଂକଳ୍ପ” ଶୀର୍ଷକ ଚାରିଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଛି।
ବୈଠକରେ ରାଷ୍ଟ୍ରୀୟ ପରିସ୍ଥିତି, ଶିକ୍ଷା ବ୍ୟବସ୍ଥା, ଯୁବସମାଜର ଭୂମିକା, ରାଷ୍ଟ୍ରୀୟ ସୁରକ୍ଷା, ସାମାଜିକ-ଆର୍ôଥକ ବିଷୟ ଏବଂ ସମସାମୟିକ ସମସ୍ୟା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହାସହିତ ସଂଗଠନର ବିଭିନ୍ନ କାର୍ଯ୍ୟ, ଅଭିଯାନ ଓ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ଆଗାମୀ ବର୍ଷ ପାଇଁ ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା।
ଅନ୍ତର୍ରାଜ୍ୟୀୟ ଛାତ୍ର ଜୀବନ ଦର୍ଶନ (ଏସଇଆଇଏଲ) ଅଧୀନରେ ଆୟୋଜିତ ରାଷ୍ଟ୍ରୀୟ ଏକାତ୍ମତା ଯାତ୍ରାର ୬୦ ବର୍ଷ ପୂର୍ତି ଅବସରରେ ଦେଶବ୍ୟାପୀ “ଏସଇଆଇଏଲ ଆଟ୍ ୬୦” କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାବ୍ୟତୀତ ‘ସ୍କ୍ରିନ୍ ଟାଇମ୍ ଟୁ ଆକ୍ଟିଭିଟି ଟାଇମ୍ ’, ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତି, ଜରୁରୀକାଳ ବିରୋଧୀ ଆନ୍ଦୋଳନର ୫୦ ବର୍ଷ, ଶ୍ରୀ ଗୁରୁ ତେଗ ବହାଦୁରଙ୍କ ୩୫୦ତମ ବଳିଦାନ ଦିବସ ଏବଂ ସନ୍ତ ରବିଦାସଙ୍କ ୬୫୦ତମ ପ୍ରାକଟ୍ୟୋତ୍ସବ ଅବସରରେ ବର୍ଷବ୍ୟାପୀ ଦେଶବ୍ୟାପୀ ଅଭିଯାନ ଚାଲିବ।
୨୭ ମେ ଅନୁଷ୍ଠିତ କେନ୍ଦ୍ରୀୟ କାର୍ଯ୍ୟସମିତି ବୈଠକରେ “ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନଃପ୍ରତିଷ୍ଠା ପାଇଁ ପଶ୍ଚିମବଙ୍ଗର ଜନମତକୁ ଅଭିନନ୍ଦନ” ଶୀର୍ଷକ ଏକ ଅଭିନନ୍ଦନ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା।
ପ୍ରେସ ସମ୍ମିଳନୀକୁ ସମ୍ବୋଧିତ କରି ଏବିଭିପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡଃ ବୀରେନ୍ଦ୍ର ସିଂହ ସୋଲଙ୍କୀ କହିଥିଲେ ଯେ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଗୃହୀତ ପ୍ରସ୍ତାବଗୁଡ଼ିକ କେବଳ ବର୍ତମାନର ସମସ୍ୟା ପ୍ରତି ପ୍ରତିକ୍ରିୟା ନୁହେଁ, ବରଂ ଏକ ବିକଶିତ, ସୁରକ୍ଷିତ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ଏବିଭିପିର ଦୀର୍ଘମିଆଦି ରାଷ୍ଟ୍ରୀୟ ଦୃଷ୍ଟିକୋଣର ପ୍ରତିଫଳନ। ଶିକ୍ଷାକୁ ଅଧିକ ଫଳପ୍ରଦ ଏବଂ ରୋଜଗାରମୁଖୀ କରିବା, ରାଷ୍ଟ୍ରୀୟ ସୁରକ୍ଷା ସମ୍ମୁଖୀନ ସମସ୍ସୟା ମାଧାନ, ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବୈଶ୍ୱିକ ଅନିଶ୍ଚିତତାର ସମୟରେ ରାଷ୍ଟ୍ରହିତକୁ ସର୍ବୋପରି ରଖି ସଚେତନ ନାଗରିକ ସମାଜ ଗଠନ ହିଁ ଏହି ବୈଠକର ମୂଳ ସଂକଳ୍ପ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ.ବୀରେନ୍ଦ୍ର ସିଂହ ସୋଲଙ୍କୀ,ରାଷ୍ଟ୍ରୀୟ ଗଣମାଧ୍ୟମ ସଂଯୋଜକ ହର୍ଷ ଅତ୍ରି,ରାଜ୍ୟ ସମ୍ପାଦକ ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ,ରାଜ୍ୟ ଗଣମାଧ୍ୟମ ସଂଯୋଜକ ବାସୁଦେବ ପାଣିଗ୍ରାହୀ,ଭୁବନେଶ୍ୱର ମହାନଗର ସମ୍ପାଦକ ଗଙ୍ଗାଧର ପାଢ଼ୀ ବିଶେଷ ଭାବରେ ଉପସ୍ଥିତ ଥିଲେ।ର୍
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା