


ସମ୍ବଲପୁର,୦୩, ଜୁନ୍ (ହି.ସ.) ସମ୍ବଲପୁର:ସମ୍ବଲପୁର ସହରର ଐତିହାସିକ ଟାଉନ ହଲ୍ ପଡ଼ିଆଠାରେ ଆସନ୍ତା ଜୁନ୍ ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ସ୍ତରୀୟ କବାଡି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି l ଏହି ଅବସରରେ ସ୍ଥାନୀୟ ହୋଟେଲ ହରଜୀତ ରେସିଡେନ୍ସି ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଆୟୋଜକ କମିଟି l
ଏହି ସମ୍ମିଳନୀରେ ସମ୍ବଲପୁର ବିଧାୟକ ତଥା ‘ସମ୍ବଲପୁର କବାଡି ଟୁର୍ନାମେଣ୍ଟ ଆୟୋଜକ କମିଟି ସଭାପତି ଜୟନାରାୟଣ ମିଶ୍ର, ସୁଶାନ୍ତ ପୁରୋହିତ, ଜାତୀୟ ସ୍ତରର ପ୍ରତିଷ୍ଠିତ କବାଡି ଖେଳାଳି ରାଜୁ ସେଠ୍, ପ୍ରଶିକ୍ଷକ ଶ୍ରୀକାନ୍ତ ବାରିକ,ଡ଼. ପ୍ରମୋଦ ରଥ ଓ ଅନିଲ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ l ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, କବାଡି କେବଳ ଏକ ଖେଳ ନୁହେଁ, ଏହା ଆମ ଦେଶର ସଂସ୍କୃତି, ଶୃଙ୍ଖଳା, ସାହସ ଏବଂ ଦଳଗତ ଏକତାର ପ୍ରତୀକ lଏହି ସର୍ବଭାରତୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଶ୍ରେଷ୍ଠ କବାଡି ଦଳ ଏବଂ ନାମୀଦାମୀ ପ୍ରତିଭାଶାଳୀ ଖେଳାଳିମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି l ଏହା ଦ୍ୱାରା ଆଞ୍ଚଳିକ ଯୁବ ଖେଳାଳିମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିବାର ମଧ୍ୟ ସୁଯୋଗ ପାଇପାରିବେ l ପ୍ରତିଯୋଗିତାଟି ‘ଅଲ୍ ଇଣ୍ଡିଆ କବାଡି ଫେଡେରେସନ’ର ନିୟମ ଆଧାରରେ ଓ ସ୍ୱୀକୃତିପ୍ରାପ୍ତ ଅଭିଜ୍ଞ ରେଫରିମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେବ l ଏହି ଟୁର୍ନାମେଣ୍ଟ କୁ
ଫେସବୁକ୍ ଲାଇଫ, ୟୁଟ୍ୟୁବ୍ ଲାଇଫ ରେ ମଧ୍ୟ୍ୟ ପ୍ରସାରଣ କରାଯିବାର ଯୋଜନା କରାଯାଇଛି l ଏହି ଅବସରରେ ସମ୍ବଲପୁର ଦଳର ଜର୍ସି ତଥା ଟୁର୍ନାମେଣ୍ଟ ର ଟ୍ରଫି କୁ ପ୍ରଦର୍ଶିତ କରାଯାଇଥିଲା l ଏହି ସର୍ବ ଭାରତୀୟ କବାଡି ଟୁର୍ନାମେଣ୍ଟ ଜୁନ୍ ୪ରୁ ୭ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଟାଉନ ହଲ୍ ପଡ଼ିଆରେ ଆୟୋଜିତ ହେବାକୁ ଯାଉଛି l ତେଣୁ, ବହୁ ସଂଖ୍ୟାରେ କ୍ରୀଡା ପ୍ରେମୀ ମାନେ ଏହି ସର୍ବ ଭାରତୀୟ କବାଡି ଖେଳର ମନୋରଞ୍ଜନ ପାଇଁ ସାମିଲ ହୋଇ ଟୁର୍ନାମେଣ୍ଟ କୁ ସଫଳ କରାଇବାକୁ ଆୟୋଜନ କମିଟି ପକ୍ଷରୁ ଆହ୍ୱାନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ