

ବଲାଙ୍ଗିର, ୦୧ ଜୁନ୍ (ହି.ସ.)ରବିବାର ଭାରତ ବିକାଶ ପରିଷଦ,ବଲାଙ୍ଗିର ଶାଖାର ବାର୍ଷିକ କାର୍ଯ୍ୟଶାଳା ବଲାଙ୍ଗିର ସ୍ଥିତ ହୋଟେଲ ଭମର ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ବଂଶୀଧର ସା’ଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ଯତୀନ୍ଦ୍ର କୁମାର ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏଇ କାର୍ଯ୍ୟଶାଳାରେ କ୍ଷେତ୍ର ତଥା ପ୍ରଦେଶ ସ୍ତରୀୟ ପଦାଧିକାରୀ ଗଣ ଉପସ୍ଥିତ ରହି ଭାରତ ବିକାଶ ପରିଷଦର ବିଭିନ୍ନ ଗତିବିଧି ଉପରେ ମାର୍ଗଦର୍ଶନ କରିଥିଲେ। ୧ମ ସତ୍ରରେ ରାଷ୍ଟ୍ରଗାନ ବନ୍ଦେମାତରଂ ଗାନ ପରେ ପ୍ରାନ୍ତ ଉପସଭାପତି ମହେନ୍ଦ୍ର କୁମାର ଅଗ୍ରୱାଲ ପରିଷଦର ଲକ୍ଷ୍ୟ,ଉଦ୍ଦେଶ୍ୟ ସମ୍ବନ୍ଧେ ନିଜର ବିଚାର ରଖିଥିବା ବେଳେ ପ୍ରାନ୍ତ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ ପରିଷଦ ଦ୍ୱାରା ଚାଲୁଥିବା ବିବିଧ କାର୍ଯ୍ୟ,କାର୍ଯ୍ୟକ୍ରମର ଶୃଙ୍ଖଳାଗତ ବ୍ୟବସ୍ଥା ସମ୍ବନ୍ଧେ ସୂଚନା ପ୍ରଦାନ କରିଥିଲେ। ପରିଷଦର ସଂସ୍କାର ଗତିବିଧି ସମ୍ବନ୍ଧେ ପ୍ରାନ୍ତ ସଂସ୍କାର ସଚିବ ଅଶୋକ କକ୍କଡ,ସମ୍ପର୍କ ଗତିବିଧି ସମ୍ବନ୍ଧେ ପ୍ରାନ୍ତ ସମ୍ପର୍କ ସଚିବ ଦୁର୍ଗା ପ୍ରସାଦ ଶର୍ମା,ସାଂଗଠନିକ ଗତିବିଧି ସମ୍ବନ୍ଧେ ପ୍ରାନ୍ତ ସଂଗଠନ ସମ୍ପାଦକ ସନ୍ତୋଷ ପଣ୍ଡାଙ୍କ ପରି ବକ୍ତାଗଣ ସଂପୃକ୍ତ ପ୍ରସଙ୍ଗରେ ସଦସ୍ୟ,ସଦସ୍ୟା ମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ। ୨ୟ ସତ୍ରରେ ପ୍ରଦେଶ ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା ପର୍ଯ୍ୟାବରଣ ସମ୍ବନ୍ଧେ ତାଙ୍କ ମାର୍ଗଦର୍ଶନରେ, ସମ୍ପ୍ରତି ପରିଲକ୍ଷିତ ପ୍ରାକୃତିକ ପରିବେଶ ଜନିତ ଉତ୍କଟ ଦୁଃସ୍ଥିତିର ସଫଳ ମୁକାବିଲା କରିବା ପାଇଁ,ସମାଜର ପ୍ରତି ପରିବାରପିଛା ଅନ୍ତତଃ ୫ଟି ଲେଖାଏଁ ବୃକ୍ଷ ରୋପଣ ସହ ଯତ୍ନନେବା,ଅନାବଶ୍ୟକ ଜଳ ଅପଚୟ ନକରି ଜଳ ସଂରକ୍ଷଣ କରିବା ଏବଂ ପ୍ଲାଷ୍ଟିକ,ପୋଲିଥିନ୍ ବର୍ଜନ ପୂର୍ବକ ମୃତିକା ସଂରକ୍ଷଣ କରି ପ୍ରକୃତିର ସମ୍ବର୍ଦ୍ଧନ, ସଂରକ୍ଷଣରେ ନିଜର ଯୋଗଦାନକୁ ସୁନିଶ୍ଚିତ କରିବାପାଇଁ ଏକ ଭାବୋଦ୍ଦୀପକ ବିଚାର ରଖିଥିଲେ। ମହିଳା ସହଭାଗିତାର ପ୍ରାନ୍ତ ସଂଯୋଜିକା ତନୁଜା ପାଢୀ ପରିଷଦ କାର୍ଯ୍ୟରେ ମହିଳା ମାନଙ୍କର ଭୂମିକା ସମ୍ବନ୍ଧେ ବାର୍ତା ଦେବାକୁ ଯାଇ,ଭାରତୀୟ ମହିୟସୀ,ବୀରାଙ୍ଗନା ନାରୀ ମାନଙ୍କର ଶୌର୍ଯ୍ୟ,ପରାକ୍ରମର ସ୍ମୃତି ଚାରଣ କରି ସୁସ୍ଥ,ସମର୍ଥ ସମାଜ ଗଠନ ପାଇଁ ପରିଷଦର ସମସ୍ତ ସଦସ୍ୟା ସଂଗଠିତ ହୋଇ କିଶୋରୀ,ତରୁଣୀ ତଥା ମାତୃଶକ୍ତିଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି ପ୍ରଜ୍ଜ୍ୱଳିତ କରିବା ପାଇଁ ଆହ୍ୱାନ କରିଥିଲେ। କ୍ଷେତ୍ର ଯୁଗ୍ମ ସାଧାରଣ ସମ୍ପାଦକ ପ୍ରକାଶ କୁମାର ପଟ୍ଟନାୟକ ପରିଷଦର ସେବା ଗତିବିଧିର ଅନେକ ଦୃଷ୍ଟାନ୍ତ ମୂଳକ ପ୍ରସଙ୍ଗ ମାଧ୍ୟମରେ ସମାଜରେ ରହିଯାଇଥିବା ନିରକ୍ଷର,ନିଷ୍ପେସିତ, ଆର୍ôଥକ ଅନଗ୍ରସର,ଅବହେଳିତ ଲୋକଙ୍କର ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସାମଗ୍ରିକ ବିକାଶ କରିବା ହେଉଛି ସମ୍ପନ୍ନ ସମାଜର ମୌଳିକ ଦାୟିତ୍ୱ,କର୍ତବ୍ୟ ବୋଲି ମତ ରଖିଥିଲେ। ତତ୍ ସହିତ ସମାଜ ଦ୍ୱାରା ଏବଂ ସମାଜ ପାଇଁ ସମର୍ପିତ ପରିଷଦର ସମସ୍ତ ଆର୍ôଥକ ଗତିବିଧିର ପରିଚାଳନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ବିବିଧ ଲୋକ କଲ୍ୟାଣକାରୀ କାର୍ଯ୍ୟପାଇଁ ସମାଜର ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପରିଷଦର “ସ୍ୱସ୍ଥ,ସମର୍ଥ ଓ ସଂସ୍କାରିତ ଭାରତ” ର ପରିକଳ୍ପନାକୁ ସାକାର କରିବା ପାଇଁ ବଲାଙ୍ଗିର ଶାଖା ସଂକଳ୍ପବଦ୍ଧ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଇ କାର୍ଯ୍ୟଶାଳାରେ ପରିଷଦର ବଲାଙ୍ଗିର ଶାଖାର ମାନ୍ୟଗଣ୍ୟ ସଦସ୍ୟ,ସଦସ୍ୟା ଦୀର୍ଘ ୪ଘଂଟା ଧରି ଶୃଙ୍ଖଳାର ସହିତ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ପରିଶେଷରେ ସଦସ୍ୟା ହିମାନୀ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କଲାପରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଗଲା।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ