
ଝାରସୁଗୁଡ଼ା, ୧ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଏବଂ ଐତିହ୍ୟର ସଂରକ୍ଷଣକୁ କରିବା ପାଇଁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ କମିଶନର ତଥା ସଚିବ ବଲୱନ୍ତ ସିଂ ଜିଲ୍ଲାର ବିଭିନ୍ନ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଗସ୍ତର ପ୍ରଥମ ପର୍ଯ୍ୟାୟରେ ସଚିବ ବଲୱନ୍ତ ସିଂ ବ୍ରଜରାଜନଗରସ୍ଥିତ ଏମ୍ ସି ଏଲ ଇକୋ-ପାର୍କ ପରିଦର୍ଶନ କରି ଏହାର ପ୍ରଗତି ସମୀକ୍ଷା କରିଥିଲେ। ପାର୍କ ପରିସରରେ ଥିବା ଏମ୍ ସି ଏଲ ମାଇନିଂ ମ୍ୟୁଜିୟମର ସମ୍ପ୍ରସାରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ପର୍ଯ୍ୟଟକମାନଙ୍କ ପାଇଁ ଭୂତଳ ଖଣି ବୁଲି ଦେଖିବାର ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହାପରେ, ସେ ଇବ୍ ଏବଂ ଭେଡେନ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିଥିଲେ। ବ୍ରଜରାଜନଗର ପୌରପାଳିକା ଅନ୍ତର୍ଗତ ଏହି ଆଧ୍ୟାତ୍ମିକ ସ୍ଥଳୀର ଭବିଷ୍ୟତ ଉନ୍ନତିକରଣ କାର୍ଯ୍ୟର ସେ ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ। ପର୍ଯ୍ୟଟକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପକୁ ବଢ଼ାଇବା ପାଇଁ ଭିତ୍ତିଭୂମିର ବିକାଶ ନିମନ୍ତେ ସେ ଅଧିକାରୀମାନଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇଥିଲେ। ଗସ୍ତର ଶେଷ ଭାଗରେ ସଚିବ ଗୁଜା ପାହାଡ଼ ଏବଂ ପ୍ରସିଦ୍ଧ ପିକନିକ ସ୍ପଟ୍ ରମ୍ପାଲୁଗା ପରିଦର୍ଶନ କରିଥିଲେ। ଏହି ସାମଗ୍ରିକ ସ୍ଥଳୀର ସୌନ୍ଦର୍ଯ୍ୟକରଣ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ସେ ସ୍ଥାନୀୟ ଜନସାଧାରଣ, ମନ୍ଦିର ଟ୍ରଷ୍ଟି ଏବଂ ଅନ୍ୟାନ୍ୟଙ୍କ ସହ ଆଲୋଚନା କରିଥିଲେ।
ଏହି ପରିଦର୍ଶନ ସମୟରେ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ଏମ୍ ସି ଏଲ ର ଜେନେରାଲ ମ୍ୟାନେଜର ଏ.କେ. ନାମଜୋଶୀ, ଆର୍ ନ ବି ବିଭାଗର ଏସ.ଡି.ଓ. ସୁରଥ ନାୟକ ଏବଂ ମନ୍ଦିର ଟ୍ରଷ୍ଟି ଦିଲୀପ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ