
ଭୁବନେଶ୍ୱର, ୧ ଜୁନ (ହି.ସ) - ଆସନ୍ତା ଜୁନ୍ ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ ଅନୁଷ୍ଠିତ ହେବ। ଜୁନ୍ ୪ ତାରିଖରେ ଏହାର ଉଦଘାଟନୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବ୍ରିକ୍ସ୍ ରାଷ୍ଟ୍ରସମୂହଙ୍କ ସହ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ ମଧ୍ୟ ଏହି ତିନିଦିନିଆ ବୈଠକରେ ଯୋଗ ଦେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବ୍ରିକ୍ସ୍ ହେଉଛି ବିଶ୍ୱର ଉଦୀୟମାନ ଅର୍ଥନୀତିଗୁଡ଼ିକୁ ନେଇ ଗଠିତ ଏକ ପ୍ରମୁଖ ଅନ୍ତର୍ଜାତୀୟ ଆନ୍ତଃସରକାରୀ ସଂଗଠନ ଏବଂ ଭୂ-ରାଜନୈତିକ ମଂଚ। ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ବ୍ରାଜିଲ୍, ରୁଷ୍, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଟ୍ସ (ଟଇଋ), ଇଥିଓପିଆ, ଇରାନ୍ ଓ ଇଣ୍ଡୋନେସିଆ। ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଏନଡିଏମଏ) ଅଧ୍ୟକ୍ଷତାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଷୟିକ ବୈଠକ ୨୯–୩୦ ଏପ୍ରିଲ ୨୦୨୬ ରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଭାରତର ବ୍ରିକ୍ସ୍ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ପ୍ରତ୍ୟକ୍ଷ ବୈଷୟିକ ବୈଠକ ୦୩–୦୫ ଜୁନ୍ ୨୦୨୬ ମଧ୍ୟରେ ଓଡ଼ିଶାର ପୁରୀସ୍ଥିତ ତାଜ୍ ପୁରୀ ରିସୋର୍ଟରେ ଅନୁଷ୍ଠିତ ହେବ।
ବିପର୍ଯ୍ୟୟ ପ୍ରସ୍ତୁତି, ବାତ୍ୟା ପରିଚାଳନା ଏବଂ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ୱସ୍ତରୀୟ ସଫଳତାକୁ ଦୃଷ୍ଟିରେ ରଖି ଆମ ରାଜ୍ୟକୁ ଆୟୋଜକ ଭାବେ ଚୟନ କରାଯାଇଛି। ବ୍ରିକ୍ସ୍ ସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକର ପ୍ରତିନିଧି, ନୀତି-ନିର୍ଦ୍ଧାରକ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସ୍ଥାୟୀ ଡିଆରଆର ଅର୍ଥ ପରିଚାଳନା, ଭିତିଭୂମି, ପୂର୍ବାନୁମାନ ଆଧାରିତ ପ୍ରତିକ୍ରିୟା ଏବଂ ପାରମ୍ପରିକ ଜ୍ଞାନର ସମନ୍ୱୟ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ।
ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ନେତୃତ୍ୱର ସ୍ଥାନ ପ୍ରଦାନ କରିବା , ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ସଫଳ ମଡେଲକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ହେତୁ ଏହି ବୈଠକ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ବୈଠକ ଅନ୍ତର୍ଜାତୀୟ ସହଯୋଗ ଏବଂ ଓଡ଼ିଶାର ବିଶ୍ୱସ୍ତରୀୟ ପରିଚିତିକୁ ଆହୁରି ସମୃଦ୍ଧ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା