ତିନି ମାସ ହେଲା ମିଳିନାହିଁ ବାର୍ଦ୍ଧକ୍ୟ ଭତା : ଚମ୍ପୁଆ ଏନଏସି କାର୍ଯ୍ୟାଳୟର ଦ୍ୱାରସ୍ଥ ହିତାଧିକାରୀ
ଚମ୍ପୁଆ, ୦୧ ଜୁନ୍(ହି.ସ.) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦ(ଚମ୍ପୁଆ ଏନ୍ଏସି) ଅଂଚଳରେ ଦେଖାଦେଇଛି ଭତା ସମସ୍ୟା। ଦୀର୍ଘ ତିନି ମାସ ହେବ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ନମିଳିବା ପ୍ରତିବାଦରେ ଆଜି ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ଗୋଧୂଳି(୧ ନମ୍ବର ୱାର୍ଡ)ର ଅସହାୟ ହିତାଧିକ
ତିନି ମାସ ହେଲା ମିଳିନାହିଁ ବାର୍ଦ୍ଧକ୍ୟ ଭତା : ଚମ୍ପୁଆ ଏନଏସି କାର୍ଯ୍ୟାଳୟର ଦ୍ୱାରସ୍ଥ ହିତାଧିକାରୀ


ଚମ୍ପୁଆ, ୦୧ ଜୁନ୍(ହି.ସ.) – କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦ(ଚମ୍ପୁଆ ଏନ୍ଏସି) ଅଂଚଳରେ ଦେଖାଦେଇଛି ଭତା ସମସ୍ୟା। ଦୀର୍ଘ ତିନି ମାସ ହେବ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ନମିଳିବା ପ୍ରତିବାଦରେ ଆଜି ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ଗୋଧୂଳି(୧ ନମ୍ବର ୱାର୍ଡ)ର ଅସହାୟ ହିତାଧିକାରୀ ମାନେ ଚମ୍ପୁଆ ଏନ୍ଏସି କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଭତା ଟଙ୍କା ଉପରେ ନିର୍ଭର କରି ଚଳୁଥିବା ଏହି ବୃଦ୍ଧବୃଦ୍ଧା ଓ ନିରାଶ୍ରୟମାନେ ଏବେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡର ଶତାଧିକ ହିତାଧିକାରୀଙ୍କୁ ଗତ ତିନି ମାସ ହେଲା ଭତା ମିଳିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଥିବା ଏହି ଅର୍ଥ ବ୍ୟାଙ୍କ ଖାତାକୁ ଆସୁ ନଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି। ଫଳରେ ଔଷଧ କିଣିବା ଠାରୁ ଆରମ୍ଭ କରି ଦୈନନ୍ଦିନ ଗୁଜୁରାଣ ମେଂଟାଇବାରେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ବ୍ୟାଙ୍କ ଓ ଏନଏସି ଅଫିସ ଦୌଡ଼ି ଦୌଡ଼ି ନିରାଶ ହେବା ପରେ, ଆଜି ବାଧ୍ୟ ହୋଇ ବୃଦ୍ଧ ବୃଦ୍ଧାମାନେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଗୁହାରି ଜଣାଇଛନ୍ତି। ଏହି ସମସ୍ୟା ନେଇ ଚମ୍ପୁଆ ଏନଏସିର ଭତା ବିଭାଗର କର୍ମଚାରୀ ହରେକୃଷ୍ଣ ନାଏକଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଯେ, ସରକାରୀ ସ୍ତରରେ ନୂତନ ସଫ୍ଟୱେର୍ ପରିବର୍ତନ ଏବଂ କେନ୍ଦ୍ର-ରାଜ୍ୟ ମିଳିତ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି କାରଣରୁ ଏହି ବିଳମ୍ବ ଘଟିଛି। ସିଧାସଳଖ ନଗଦ ଟଙ୍କା ନେଉଥିବା ହିତାଧିକାରୀଙ୍କର କୌଣସି ଅସୁବିଧା ହୋଇନାହିଁ, କିନ୍ତୁ ଅନଲାଇନ୍ ଖାତାଧାରୀମାନେ ପ୍ରଭାବିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ଏବଂ ଆସନ୍ତା ୧୦ ରୁ ୧୫ ଦିନ ମଧ୍ୟରେ ସମସ୍ତ ବକେୟା ଭତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସ୍ୱଳ୍ପ ଦିନ ମଧ୍ୟରେ ସେମାନଙ୍କର ୩ ମାସର ବକେୟା ଭତା ପ୍ରଦାନ କରାନଯାଏ, ତେବେ ଆଗାମୀ ଦିନରେ ସେମାନେ ବ୍ୟାପକ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ। ସ୍ଥାନୀୟ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରଶାସନକୁ ଏହି ଅସହାୟ ବୃଦ୍ଧବୃଦ୍ଧାଙ୍କ ଗୁହାରି ଶୀଘ୍ର ଶୁଣିବାକୁ ଅନୁରୋଧ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande