ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ନୂଆପଡ଼ା, ୧ ଜୁନ (ହି.ସ.)- ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ସଦ୍ଭାବନା ସଭାଗୃହରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆମ୍ରିତପାଲ ସିଂଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶ
Collector grivance at nuapada


ନୂଆପଡ଼ା, ୧ ଜୁନ (ହି.ସ.)- ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ସଦ୍ଭାବନା ସଭାଗୃହରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆମ୍ରିତପାଲ ସିଂଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୮୨ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ୭୩ଟି ବ୍ୟକ୍ତିଗତ ଓ ୯ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା।

ଶିବିରରେ ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗର ଗୁରୁତ୍ୱ ଅନୁଧ୍ୟାନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଅଭିଯୋଗ ଶୁଣାଣିରେ ପ୍ରାପ୍ତ ଅଭିଯୋଗ ଗୁଡ଼ିକର ଫଇସଲା ସ୍ଥିତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ ଏବଂ ଅବଶିଷ୍ଟ ମାମଲାଗୁଡ଼ିକର ଶୀଘ୍ର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ସେହିପରି ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଏରବାଡ଼ି ଗ୍ରାମ ପଞ୍ଚାୟତର ମିତ୍ରଭାନୁ ରାଉତ, ଟାନୱଟ ଗ୍ରାମ ପଂଚାୟତର ଅନ୍ତରାମ ଶବର ଏବଂ ଆମାନରା ଗ୍ରାମ ପଞ୍ଚାୟତର ଚେନ ସିଂ ବରିହଙ୍କୁ “ସ୍ୱଚ୍ଛତା ଦୂତ ସମ୍ମାନ” ପ୍ରଦାନ କରାଯାଇଥିଲା। ଶିବିର ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିବା ବେଳେ ଟାନୱଟ ଠାରେ ପଶୁ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଜନ ଶୁଣାଣୀ ଅବସରରେ ଜିଲ୍ଲାପାଳ ସମସ୍ତ ବିଡିଓମାନଙ୍କୁ ପେନସନ ବଣ୍ଟନର ସ୍ଥିତି ନିୟମିତ ସମୀକ୍ଷା କରି ଯୋଗ୍ୟ ହିତାଧିକାରୀ ମାନେ ଯେପରି ଠିକ୍ ସମୟରେ ସୁବିଧା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ସେହିପରି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ଅନଧିକୃତ ଧାନ ମହଜୁଦ ସମ୍ପର୍କରେ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଶିକ୍ଷା କ୍ଷେତ୍ରରେ ଡ୍ରପଆଉଟ ସମସ୍ୟାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆର୍ଥିକ କାରଣରୁ ପାଠପଢ଼ା ଛାଡ଼ିଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସର୍ଭେ କରିବା ସହ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମସଭା ମାଧ୍ୟମରେ ସଚେତନତା ଓ ସମାଧାନମୂଳକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।

ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର କୁମାର ସାହୁ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) ଏ. ମାଧବୀଲତା, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଆଜିଜ ଖାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ଡେପୁଟି ଜିଲ୍ଲାପାଳ ଶେଖ ନସୀମ ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ ବିଭାଗ ଅଧିକାରୀ, ବ୍ଲକସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande