
ସମ୍ବଲପୁର, ୦୧ ଜୁନ୍(ହି.ସ.) – ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନସ୍ଥ ବେସରକାରୀ ବସ୍ଷ୍ଟାଣ୍ଡ ଅଞ୍ଚଳରେ ଗତ ୩୦ ମେ ରାତିରେ ପୁଲିସ ପକ୍ଷରୁ ଚାଲିଥିବା ଏକ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ସମୟରେ ଅବୈଧ ଅସ୍ତ୍ର ରଖିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଜଣଙ୍କ ସମ୍ବଲପୁର ଅଙ୍ଗୁଳିଆପଡ଼ା ଅଂଚଳର ୨୬ ବର୍ଷିୟ ନରେନ୍ଦ୍ର ନାଏକ ବୋଲି ଜଣାପଡିଛି। ନିର୍ଭରଯୋଗ୍ୟ ସୂଚନା ଆଧାରରେ ପୁଲିସ ତାଙ୍କୁ କାବୁ କରି ବ୍ୟକ୍ତିଗତ ତଲାସି କରିଥିଲା। ତଲାସି ବେଳେ ତାଙ୍କ ନିକଟରୁ ଗୋଟିଏ ସିଙ୍ଗଲ୍-ସଟ୍ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଏବଂ ଗୋଟିଏ ମୋଟୋରୋଲା ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ଜବତ ସାମଗ୍ରୀକୁ ଆଇନଗତ ପ୍ରକ୍ରିୟା ଅନୁସାରେ ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଅଇଁଠାପାଲି ଥାନାରେ କେସ୍ ୧୫୬/୨୬ରେ ଭାରତୀୟ ଅସ୍ତ୍ର ଆଇନର ଧାରା ୨୫(୧ଏ)/୨୫(୧ବି)(ଏ) ଅଧୀନରେ ମାମଲା ରୁଜୁ ହୋଇଛି। ଏହିଭଳି ବିଭିନ୍ନ ସମୟରେ ମାରଣାସ୍ତ୍ର ଜବତ ହେବା ଘଟଣାକୁ ନେଇ ଏବେ ଜିଲ୍ଲା ପୋଲିସ ପ୍ରଶାସନ ମାତ୍ରାଧିକ ଗୁରୁତ୍ୱ ଦେଇ ଏହାର ଅଧିକ ତଦନ୍ତ ଆରମ୍ଭ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ