
ଚମ୍ପୁଆ, ୧ ଜୁନ୍ (ହି.ସ.)- ଭାରତ ଏକ କୃଷି ପ୍ରଧାନ ଦେଶ ଓ ଚାଷୀ ହେଉଛି ଦେଶର ମେରୁଦଣ୍ଡ। କିନ୍ତୁ ବର୍ତ୍ତମାନ ଚାଷ ଅନୁକୂଳ ସମୟ ଗଡି ଯାଉଥିବା ବେଳେ ଚମ୍ପୁଆ ଅଞ୍ଚଳରେ ଚାଷୀଙ୍କୁ ଅଣଦେଖା କରି ଏ ପର୍ଯ୍ୟନ୍ତ ସାର, ବିହନ ନ ଯୋଗାଇବା ସ୍ଥାନୀୟ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ସିଧା ସଳଖ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଭାଗୀୟ ଅବହେଳା ଓ ଅବ୍ୟବସ୍ଥା ଯୋଗୁଁ ଏବେ ଚମ୍ପୁଆ ଲ୍ୟାମ୍ପ୍ସ ଏକ ପ୍ରକାର ମୁରବି ବିହୀନ ହୋଇପଡ଼ିଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ଚାଷୀଙ୍କ ଉପରେ ପଡ଼ିଥିବା ବେଳେ ଚାଷ ସମୟରେ ସାର ଓ ବିହନ ନମିଳିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାର୍ଯ୍ୟରେ ଅନିୟମିତତା ପାଇଁ ଭାରପ୍ରାପ୍ତ ପରିଚାଳନା ନିର୍ଦେଶକ ରଜତ କୁମାର ଗିରୀଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ଦାୟିତ୍ୱରେ ଥିବା ଦେବବ୍ରତ ମହାରଣାଙ୍କର ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଲ୍ୟାମ୍ପ୍ସ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଚମ୍ପୁଆ ଲ୍ୟାମ୍ପ୍ସରେ କୌଣସି ଯୋଗ୍ୟ ସ୍ଥାୟୀ କର୍ମଚାରୀ ନାହାନ୍ତି। ଫଳରେ ଏବେ ଚମ୍ପୁଆର ତିନୋଟି ଲ୍ୟାମ୍ପ୍ସକୁ ସାର ଓ ବିହନ ଆସି ପାରୁନାହିଁ। ଚାଷ କାର୍ଯ୍ୟ ପାଇଁ ଦିନ ଗଡି ଯାଉଥିବା ବେଳେ ଚାଷୀ ମାନେ ଠିକ ସମୟରେ ସାର ଓ ବିହନ ପାଇ ପାରୁ ନ ଥିବାରୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଅଞ୍ଚଳର ଚାଷୀ ମାନଙ୍କ ଆବଶ୍ୟକତା ଅନୁଯାୟୀ ଚମ୍ପୁଆ ଲ୍ୟାମ୍ପ୍ସ ରେ ଡିଏପି ୨୦୦୦ କ୍ୱିଣ୍ଟାଲ, ୟୁରିଆ ୨୫୦୦ କ୍ୱିଣ୍ଟାଲ, ପଟାସ ୧୨୦୦ କ୍ଵିଣ୍ଟାଲ ସାରର ଆବଶ୍ୟକତା ରହିଥିବା ବେଳେ କରଞ୍ଜିଆ ଲ୍ୟାମ୍ପ୍ସରେ ଡିଏପି ୧୮୦୦ କ୍ଵିଣ୍ଟାଲ, ୟୁରିଆ ୨୦୦୦ କ୍ଵିଣ୍ଟାଲ, ପଟାସ ୧୦୦୦ କ୍ଵିଣ୍ଟାଲ ଓ ଜାମୁଦଲକ ଲ୍ୟାମ୍ପ୍ସରେ ଡିଏପି ୧୮୦୦ କ୍ଵିଣ୍ଟାଲ, ୟୁରିଆ ୨୦୦୦ କ୍ଵିଣ୍ଟାଲ ଓ ପଟାସ ୧୦୦୦ କ୍ଵିଣ୍ଟାଲ ସାରର ଆବଶ୍ୟକତା ରହିଛି। କିନ୍ତୁ ସାର ଓ ବିହନ ଅଭାବରୁ ଚମ୍ପୁଆ ଅଞ୍ଚଳର ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଏହି ସମସ୍ୟାକୁ ନେଇ ଚମ୍ପୁଆ ଲ୍ୟାମ୍ସ ସଭାପତି ଲଳିତ କୁମାର ସିଂ, ସମବାୟ ସମିତିର ସହକାରୀ ନିବନ୍ଧକଙ୍କୁ ଲିଖିତ ଭାବେ ଅବଗତ କରାଇଥିବା ଜଣାପଡିଛି । ତେବେ ଚାଷୀଙ୍କ ସାମୁହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା କୃଷି ଅଧିକାରୀ ଓ କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଚମ୍ପୁଆ ଲ୍ୟାମ୍ପ୍ସରେ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହ ଜରୁରୀକାଳୀନ ଭିତ୍ତିରେ ସାର ଓ ବିହନ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta