
ଝାରସୁଗୁଡ଼ା, ୧ ଜୁନ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସୋମବାର ମୋଟ ୩୬ କୋଟି ଟଙ୍କା ବ୍ୟୟ ଅଟକଳରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ ପୂଜାର୍ଚ୍ଚନା ପରେ ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପମାନଙ୍କ ମଧ୍ୟରେ ଗୁଛାପାଲି ପ୍ରଧାନମନ୍ତ୍ରୀ ସଡ଼କରୁ ଲଇଡା ସୀମାନ୍ତ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ନିର୍ମାଣ ପାଇଁ ପ୍ରାୟ ୬ କୋଟି ଟଙ୍କା, ଭେଡେନ ବ୍ରିଜ–ଲଇଡା ରାସ୍ତାର ମହାଦେବପାଲି ନାଳ ଉପରେ ୫ କୋଟି ଟଙ୍କା ବ୍ୟୟରେ ନୂତନ ସେତୁ ନିର୍ମାଣ, ଏସ୍. ପଣ୍ଡକିମାଲରୁ ସୁନାମୁହାଣ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତୀକରଣ ପାଇଁ ୧୫ କୋଟି ଟଙ୍କା ଏବଂ ସମାସିଂହାରୁ କୁସୁମଡିହି ଛକ ପର୍ଯ୍ୟନ୍ତ ରାସ୍ତାର ନବୀକରଣ ଓ ପ୍ରଶସ୍ତିକରଣ ପାଇଁ ୧୦ କୋଟି ଟଙ୍କା ବ୍ୟୟ ହେବ।
ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶ ତାଙ୍କର ପ୍ରାଥମିକତା ରହିଛି। କୋଲାବିରା ବ୍ଲକର ସର୍ବାଙ୍ଗୀନ ବିକାଶ ପାଇଁ ସେ ସଂକଳ୍ପବଦ୍ଧ ।
ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ଏସଡିଓ ବନମାଳି ନାଏକ, ସହକାରୀ ଯନ୍ତ୍ରୀ ତାପସ ନାଏକ, ବିଧାୟକ ପ୍ରତିନିଧି ରାଜେଶ ଦାଶ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ, ବିଜେପି ନେତା ଲିଙ୍କନ ଟଣ୍ଡକାର, ଅରୁଣ କୁମାର ବେହେରା, ସୋଡାମାଳ ସରପଞ୍ଚ ଚନ୍ଦନ ପଟ୍ଟନାୟକ, ସୁରଭି ସେନାପତି, ହେମନ୍ତ ସାହୁ, କରୁଣାକର ସେଟ, ଚେତାନନ୍ଦ ପଟେଲଙ୍କ ସମେତ ବହୁ ଜନପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ପୂଜକ ଭାବେ ଆଶିଷ ପୁଝାରୀ କାର୍ଯ୍ୟ ସମ୍ପାଦନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ