
ଝାରସୁଗୁଡ଼ା, ୧ ଜୁନ୍ (ହି.ସ.)- ହୀରାକୁଦ ଜଳଭଣ୍ଡାର ବୁଡ଼ି ଅଞ୍ଚଳରେ ଚାଷ କରୁଥିବା ବିସ୍ଥାପିତ ଚାଷୀମାନଙ୍କ ଉତ୍ପାଦିତ ଧାନ ସରକାରୀ ସ୍ତରରେ କ୍ରୟ କରାଯାଉ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଓ ଧାନ କ୍ରୟ ବ୍ୟବସ୍ଥା ତୁରନ୍ତ ଆରମ୍ଭ କରିବା ଦାବିରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଶତାଧିକ ଚାଷୀ ସୋମବାର ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଚାଷୀମାନଙ୍କ କହିବାନୁସାରେ, ହୀରାକୁଦ ପ୍ରକଳ୍ପ ପାଇଁ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିଲେ ମଧ୍ୟ ସେମାନେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ମଧ୍ୟରେ ଜୀବନ ବିତାଉଛନ୍ତି। ପ୍ରତିବର୍ଷ ଜଳଭଣ୍ଡାରର ଜଳସ୍ତର କମିବା ପରେ ଉନ୍ମୁକ୍ତ ହେଉଥିବା ବୁଡ଼ି ଜମିରେ ଧାନ ଓ ପନିପରିବା ଚାଷ କରି ସେମାନେ ଜୀବିକା ନିର୍ବାହ କରିଥାନ୍ତି। ଲଖନପୁର ବ୍ଲକ ଅନ୍ତର୍ଗତ ସୁଖାସୋଢାରୁ ତିଲିଆ ପର୍ଯ୍ୟନ୍ତ ଅଞ୍ଚଳର ଚାଷୀମାନେ ଦୀର୍ଘବର୍ଷ ଧରି ସରକାରଙ୍କ ନିର୍ଦ୍ଧାରିତ ଦରରେ ଧାନ ବିକ୍ରି କରିଆସୁଥିଲେ। କିନ୍ତୁ ଚଳିତ ବର୍ଷ ବୁଡ଼ି ଜମିରେ ଉତ୍ପାଦିତ ଧାନ କ୍ରୟ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ହଜାର ହଜାର ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଧାନ ବିକ୍ରି ନହୋଇପାରିବାରୁ ସେମାନଙ୍କ ଆର୍ଥିକ ସ୍ଥିତି ଗୁରୁତର ହୋଇପଡ଼ିଥିବା ବେଳେ ଅନେକ ଚାଷୀ ମାନସିକ ଚାପରେ ରହିଥିବା ଅଭିଯୋଗ କରିଛନ୍ତି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରି ବୁଡ଼ି ଅଞ୍ଚଳର ଚାଷୀମାନଙ୍କ ଧାନ ସରକାରୀ ସ୍ତରରେ କ୍ରୟ କରିବାକୁ ସେମାନେ ଦାବି ଜଣାଇଛନ୍ତି।
ସ୍ମାରକପତ୍ର ପ୍ରଦାନ ବେଳେ ଚତୁର୍ଭୁଜ ବିଶ୍ୱାଳ, ବିରଞ୍ଚି ସାହୁ, ଅନିରୁଦ୍ଧ ସାହୁ, ଏକାଦଶିଆ ପ୍ରଧାନ, ଡିଲେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ