
ସମ୍ବଲପୁର, ୦୧ ଜୁନ୍(ହି.ସ.) – ହିଣ୍ଡାଲକୋ ହୀରାକୁଦ ଏଫ୍ଆର୍ପି ୱର୍କସ୍ ଏମ୍ପ୍ଲୟିଜ୍ ୟୁନିଅନର କାର୍ଯ୍ୟକାରିଣୀ ସମ୍ମିଳନୀ ହୀରାକୁଦ ସ୍ଥିତ ସଂଘ କାର୍ଯ୍ୟାଳୟରେ ସଭାପତି ମହମ୍ମଦ ମୁର୍ତୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ତଥା ସଂଘର ପରାମର୍ଶଦାତା ସଞ୍ଜିତ ମହାନ୍ତି ଯୋଗଦେଇ ବିଭିନ୍ନ ଶ୍ରମିକ ସମସ୍ୟା ଉପରେ ମତ ରଖିଥିଲେ। ବୈଠକରେ ଶ୍ରମିକ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ହିଣ୍ଡାଲକୋ ପକ୍ଷରୁ ସିବିଏସଇ ପାଠ୍ୟକ୍ରମର ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ସ୍ଥାପନ ନିଷ୍ପତିକୁ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହା ଏଚ୍ଏମ୍ଏସ୍ର ଦୀର୍ଘଦିନର ଦାବି ଥିବାରୁ ଏହାକୁ ଶ୍ରମିକ ପରିବାରଙ୍କ ପାଇଁ ଏକ ସକାରାତ୍ମକ ପଦକ୍ଷେପ ତେବେ ଏହି ସ୍କୁଲ ରେ ଶ୍ରମିକମାନଙ୍କ ସନ୍ତାନ ମାନଙ୍କ ପାଇଁ ରିହାତି ସୁବିଧା ସକାଶେ ମତ ପ୍ରକାଶ ପାଇଥିଲା। ସେହିପରି, ଶ୍ରମିକ ଓ ସ୍ଥାନୀୟ ଅଂଚଳବାସୀଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖି ହିଣ୍ଡାଲକୋ ଶୀଘ୍ର ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସ୍ଥାପନ କରିବାକୁ ସଂଘ ଆଶା ପ୍ରକାଶ କରିଛି। ଆହୁରି ମଧ୍ୟ୍ୟ କମ୍ପାନୀରେ ଖାଲି ପଡ଼ିଥିବା ପଦବୀ ପୂରଣ, ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା, କର୍ମ ପରିବେଶର ଉନ୍ନତି ଓ ଶ୍ରମିକ କଲ୍ୟାଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ ଆଲୋଚନା ହୋଇଥିଲା। ବିଶେଷ ଭାବରେ ଶ୍ରମିକ ଆଇନ୍ କୁ ଚାରୋଟି ଶ୍ରମ କୋଡରେ ପରିବର୍ତନ ନିଷ୍ପତିକୁ ଶ୍ରମିକ ବିରୋଧୀ କହିବା ସହିତ ଶ୍ରମ ଆଇନରେ ପରିବର୍ତନ ନ କରିବା ପାଇଁ ଦାବି କରାଯାଇଥିଲା। ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ସଞ୍ଜୀବ ପ୍ରଧାନ, ସାଧାରଣ ସମ୍ପାଦକ ସୁବ୍ରତ ପଣ୍ଡା, ଇଣ୍ଡଲ ହୀରାକୁଦ ପାୱାର ୱାର୍କର୍ସ ୟୁନିଅନର କାର୍ଯ୍ୟକାରୀ ସଭାପତି ରୋଶନ ସିଂ, ସାଧାରଣ ସମ୍ପାଦକ ଯୋଗୀନ୍ଦ୍ର ବେହେରାଙ୍କ ସମେତ ପ୍ରଳ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ