



ସମ୍ବଲପୁର,୦୧, ଜୁନ୍ (ହି.ସ.) - ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ୨୦୨୬ ପ୍ରକ୍ରିୟା ସମ୍ପର୍କରେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କ ଅଧ୍ୟକ୍ଷତାରେ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବା ସହ ମୃତ, ସ୍ଥାନାନ୍ତରିତ ଏବଂ ଦ୍ୱିତୀୟ ନାମଭୁକ୍ତିଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ସଂଶୋଧନ କରାଯିବ । ଜନସାଧାରଣଙ୍କ ସୁବିଧା ଓ ସହଯୋଗକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାର ସମସ୍ତ ସହରାଂଚଳ ଓ ଗ୍ରାମାଂଚଳରେ ମୋଟ ୯୪୮ ଜଣ ବୁଥ୍ ସ୍ତରୀୟ ଅଧିକାରୀ ନିୟୋଜିତ ହୋଇ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରୁଛନ୍ତି। ଏହି ସର୍ଭେ କାର୍ଯ୍ୟ ୩୦ ମେ’ରୁ ଆରମ୍ଭ ହୋଇ ୨୮ ଜୁନ୍ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ବିଏଲ୍ଓମାନେ ପ୍ରତ୍ୟେକ ପରିବାରକୁ ଯାଇ ଇନୁମରେଶନ ଫର୍ମ ବଂଟନ କରିବେ ଏବଂ ପୂରଣ ହୋଇଥିବା ଫର୍ମ ସଂଗ୍ରହ କରିବେ। ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ, ବିଏଲ୍ଓମାନଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରି ସଠିକ୍ ତଥ୍ୟ ପ୍ରଦାନ କରନ୍ତୁ। ସମସ୍ତ ବିଏଲ୍ଓ ବୈଧ ପରିଚୟପତ୍ର ସହିତ ଘରକୁ ଯିବେ ଏବଂ ସେମାନଙ୍କୁ ଏହି କାର୍ଯ୍ୟ ପାଇଁ ଯଥୋଚିତ ପ୍ରଶିକ୍ଷଣ ଦିଆଯାଇଛି। ସେ ସୂଚନା ଦେଇ କହିଥିଲେ ଯେ, ୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ପରେ ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ୩୧ ଦିନିଆ ଆପତି ଓ ଅଭିଯୋଗ ଅବଧି ରହିବ। ଏହି ସମୟ ମଧ୍ୟରେ ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ ତାଲିକାରୁ ବାଦ ପଡ଼ିଥାଏ କିମ୍ବା କୌଣସି ତ୍ରୁଟି ଥାଏ, ତେବେ ସେମାନେ ଆବଶ୍ୟକ ଆବେଦନ ଦାଖଲ କରିପାରିବେ। ସମ୍ବଲପୁର, ରେଙ୍ଗାଲି, ରେଢ଼ାଖୋଲ ଓ କୁଚିଣ୍ଡାର ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ଏହି ଆପତି ଓ ଅଭିଯୋଗର ଶୁଣାଣି କରି ନିଷ୍ପତି ଗ୍ରହଣ କରିବେ। ଯେଉଁ ନାଗରିକମାନଙ୍କର ନାମ ବର୍ତମାନର ଭୋଟର ତାଲିକାରେ ନାହିଁ କିମ୍ବା ୨୦୦୨ ଭୋଟର ତାଲିକା ସହ କୌଣସି ସମ୍ପର୍କ ସ୍ଥାପିତ ହୋଇନାହିଁ, ସେମାନଙ୍କ ନାମ ସାମିଲ କରିବା ପାଇଁ ଆବଶ୍ୟକ ଦସ୍ତାବିଜ୍ ସହ ଆବେଦନ କରିବାର ସୁଯୋଗ ରହିଛି। ସରକାରଙ୍କ ଦ୍ୱାରା ସ୍ୱୀକୃତ ୧୨ ପ୍ରକାରର ଦସ୍ତାବିଜ୍ ଏଥିପାଇଁ ଗ୍ରହଣ କରାଯିବ। ଜିଲ୍ଲାପାଳ ଏଇଟା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏହି ସମସ୍ତ ନିୟମ ଓ ସମୟସୀମା ସମଗ୍ର ଓଡ଼ିଶାରେ ସମାନ ଭାବେ ଲାଗୁ ହେଉଛି। କୌଣସି ଯୋଗ୍ୟ ଭୋଟର ଯେପରି ଏହି ପ୍ରକ୍ରିୟାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ସମସ୍ତ ନାଗରିକଙ୍କୁ ସଚେତନତାର ସହ ଏହି ଅଭିଯାନରେ ସକ୍ରିୟ ଭାଗ ନେବାକୁ ସେ ଆହ୍ୱାନ ଜଣାଇଥିଲେ। ସେ ଆହୁରି କହିଥିଲେ ଯେ, ଏସ୍ଆଇଆର୍ ସମ୍ପର୍କିତ କୌଣସି ଭ୍ରମାତ୍ମକ ସୂଚନା କୁ ବିଶ୍ୱାସ ନକରି ନାଗରିକମାନେ କେବଳ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଉପରେ ନିର୍ଭର କରିବାକୁ ଅନୁରୋଧ କରିଥିଲେ। ଅଧିକ ସୂଚନା ପାଇଁ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ ଏବଂ ଭୋଟର ହେଲ୍ପଲାଇନ୍ ଆପ୍ ମାଧ୍ୟମରେ ସେବା ଉପଲବ୍ଧ ରହିଛି। ସୂଚନା ଅନୁଯାୟୀ, ୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଏବଂ ୬ ସେପ୍େଟମ୍ବରରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଆହୁତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲପାଳ ସୁଧାଂଶୁ କୁମାର ଭୋଇ, ଡେପୁଟୀ କଲେକ୍ଟର ଇଲେକ୍ସନ ଗୀତିକା ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ସଂଯୁକ୍ତା କୁଲ୍ଲୁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ