

କନ୍ଧମାଳ, ୧ ଜୁନ୍ (ହି.ସ.)- ଓଡ଼ିଶାର କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୁରାଦେଇ ଗ୍ରାମର ଯୁବ ନେତ୍ରୀ ସୋନମ ବେହେରା ମୁମ୍ବାଇରେ ଆୟୋଜିତ ବିଡବ୍ଲ୍ଯୁ ବିଜିନେସ୍ ଓ୍ବାର୍ଲ୍ଡ ଫେଷ୍ଟିଭାଲ ଅଫ ଓ୍ବେଲ୍ ବିଇଙ୍ଗ୍ ୨୦୨୬ ଅବସରରେ ପ୍ରତିଷ୍ଠିତ “ ରାଇଜିଙ୍ଗ ୟୁଥ ଲିଡର ଆଓ୍ବାର୍ଡ ” ହାସଲ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ଏହି ସମ୍ମାନ ଦେଶର ସେହି ଯୁବ ନେତୃତ୍ୱମାନଙ୍କୁ ପ୍ରଦାନ କରାଯାଏ, ଯେଉଁମାନେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥାନ୍ତି।
ବାଲ ରକ୍ଷା ଭାରତ (ସେଭ ଦି ଚିଲଡ୍ରେନ) ଦ୍ୱାରା ପରିଚାଳିତ ଜି ଡି ଏନ ପ୍ରକଳ୍ପ ମାଧ୍ୟମରେ ସୋନମ ମାଇକ୍ରୋ ପ୍ରୋଜେକ୍ଟରେ ଗତ ଏକ ବର୍ଷ ଧରି ଯୁବ ନେତୃତ୍ୱ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛନ୍ତି। ବିଶେଷ କରି କିଶୋରୀମାନଙ୍କ ମଧ୍ୟରେ ଋତୁଶ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ବୃଦ୍ଧି, ଏହାକୁ ନେଇଥିବା କୁସଂସ୍କାର ଓ ଭ୍ରାନ୍ତ ଧାରଣା ଦୂରୀକରଣ ତଥା ଯୁବ ନେତୃତ୍ୱ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ପ୍ରଶଂସନୀୟ।
ଗ୍ରାମ ସ୍ତରରେ ତାଙ୍କର ନିରନ୍ତର ପ୍ରୟାସ ଫଳରେ ଅନେକ କିଶୋରୀ ଋତୁଶ୍ରାବ ସମୟରେ ସ୍ୱାସ୍ଥ୍ୟକର ଓ ସୁରକ୍ଷିତ ଅଭ୍ୟାସ ଅପଣାଇବା ସହ ନିଜ ସ୍ୱାସ୍ଥ୍ୟ, ଅଧିକାର ଓ ଆତ୍ମବିଶ୍ୱାସ ପ୍ରତି ଅଧିକ ସଚେତନ ହୋଇପାରିଛନ୍ତି। ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ତାଙ୍କର ଏହି ନିଷ୍ଠା ଓ ନେତୃତ୍ୱକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି।
ତାଙ୍କର ଏହି ଉଲ୍ଲେଖନିୟ କୃତିତ୍ୱ ପାଇଁ ଦିଲ୍ଲୀ ସ୍ଥିତ (ଏନ ଏସ ଓ) ବାଲ ରକ୍ଷା ଭାରତର ପ୍ରକଳ୍ପ କାର୍ଯ୍ୟକାରୀ ମୁଖ୍ୟ ପ୍ରଦୀପ କୁମାର ମିଶ୍ର, ସୋମି ହଳଦାର ଓ ଓଡ଼ିଶାର ମୁଖ୍ୟ ଡାକ୍ତର ଅଭିଜିତ ଭଦ୍ରା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋନମଙ୍କ ଏହି ସଫଳତା କେବଳ ଖଜୁରୀପଡା କିମ୍ବା କନ୍ଧମାଳ ଜିଲ୍ଲା ପାଇଁ ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ତାଙ୍କର ଏହି ଉପଲବ୍ଧି ଅନ୍ୟ ଯୁବପିଢ଼ିଙ୍କୁ ସମାଜ ସେବା, ନେତୃତ୍ୱ ବିକାଶ ଏବଂ ସକାରାତ୍ମକ ପରିବର୍ତ୍ତନ ପାଇଁ ଆଗେଇ ଆସିବାକୁ ପ୍ରେରଣା ଯୋଗାଇବ। ତାଙ୍କର ଏହି ସଫଳତା।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ