
ନୂଆପଡ଼ା, ୧ ଜୁନ (ହି.ସ.)- ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ, କଳାହାଣ୍ଡିର ଚଳିତ ବର୍ଷର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଖଡ଼ିଆଳ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ତୃପ୍ତିମୟୀ ଦଣ୍ଡସେନା ନୃତତ୍ତ୍ୱ ବିଭାଗ ଓ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମଗ୍ର କଳା ବିଭାଗ ସ୍ନାତକରେ ବିଶ୍ୱବିଦ୍ୟାଳୟରେ ଟପ୍ପର ହୋଇ ନିଜ ପରିବାର, ମହାବିଦ୍ୟାଳୟ ଏବଂ ଜିଲା ପାଇଁ ଗୌରବ ଆଣିଛନ୍ତି l ତାଙ୍କ ସିଜିପିଏ ୯. ୧୧ ପ୍ରତିଶତ ରହିଛି । ସେ ନୂଆପଡ଼ା ବ୍ଲକ ତଥା ଜିଲ୍ଲାର କେର୍ମେଲି ଗ୍ରାମର ବିଭୂତି ଭୂଷଣ ଦଣ୍ଡସେନା ଓ ଜୟମତୀ ଦଣ୍ଡସେନାଙ୍କ ଜ୍ୟେଷ୍ଠା କନ୍ୟା ଅଟନ୍ତି । ବିଭାଗ ମୁଖ୍ୟ ଡ଼. ଶିବ କୁମାର, ଡ଼. ଶିବ ବାବୁ ଏବଂ ଆଶିଷ ଭୋଇଙ୍କ ମାର୍ଗଦର୍ଶନରେ ସେ ଏହି ଅସାଧାରଣ ସଫଳତା ହାସଲ କରିଥିବା ପ୍ରକାଶ କରିଚ୍ଛନ୍ତି ।
ଏହା ସହିତ ଛାତ୍ର ଡିସେମ୍ବର ଶଗରିଆ, ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ବିଶ୍ୱ ବିଦ୍ୟାଳୟରେ ଟପ୍ପର ହୋଇଛନ୍ତି । ସେ ଖଡ଼ିଆଳ ନିକଟସ୍ଥ ଚନୁଟମାଲ ଗ୍ରାମର କୁମ୍ଭ ଶଗରିଆ ଓ ରୂପକାନ୍ତି ଶଗରିଆଙ୍କ ପୁତ୍ର ଅଟନ୍ତି । ସେ ଏହି ସଫଳତା ପାଇଁ ବିଭାଗ ଅଧ୍ୟାପକ ଚୁମ୍ବନ କୁମାର ଦଣ୍ଡସେନା, ଚିଣ୍ଟୁ ଭୋଇ ତଥା ଭାରପ୍ରାପ୍ତ ବିଭାଗ ମୁଖ୍ୟ ଡ଼. ଲିଙ୍ଗରାଜ ସାହୁଙ୍କ ମାର୍ଗଦର୍ଶନର ଶ୍ରେୟ ଦେଇଛନ୍ତି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ସାହୁ ଉଭୟ ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି । ଏମାନଙ୍କ ଏହି ସଫଳତା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାଗତ ଉତ୍କର୍ଷତାକୁ ପ୍ରତିପାଦିତ କରିଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ