
ତିରୁନେଲଭେଲି, ୧ ଜୁନ୍ (ହି.ସ.)- ସୋମବାର ଦିନ ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମିନି ଟ୍ରକ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାଲିୟୁର ନିକଟସ୍ଥ ସିରୁମାଲାଂଚି ଅଂଚଳର ବାସିନ୍ଦା ଦୁରାଇଚି, କିଶୋର ଏବଂ ଶିବକାମି ଏକ କାର୍ ରେ ନାଗରକୋଇଲ ଅଭିମୁଖେ ଯାଉଥିଲେ। ସୁରେଶ ଗାଡ଼ି ଚଳାଉଥିଲେ। କାରଟି କାଭାଲକିନାରୁ ଅଂଚଳର ଭେଲ୍ଲାମଡମ୍ ବାଇପାସ୍ ରୋଡ୍ ନିକଟରେ ପହଂଚିବା ପରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହାପରେ କାର୍ ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମିନି ଟ୍ରକ୍ କୁ ଧକ୍କା ଦେଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ କାର୍ ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ତିନି ଜଣ ଯାତ୍ରୀ-ଦୁରାଇଚି, କିଶୋର ଏବଂ ଶିବକାମି-ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ