
ଭୁବନେଶ୍ୱର, ୦୧ ଜୁନ (ହି.ସ) - ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବଙ୍କ ଭାରପ୍ରାପ୍ତ ଅଧିକାରୀଙ୍କ ବରିଷ୍ଠ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିବା ସୁଶାନ୍ତ କୁମାର ବେହେରା, ଗତ କାଲି ମଇ ୩୧ ତାରିଖରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ସୋମବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଶାସନ ସଚିବଙ୍କ ଭାରପ୍ରାପ୍ତ ଅଧିକାରୀ କଲ୍ୟାଣ କୁମାର ରଥ ଅଧ୍ୟକ୍ଷତା କରି ଶ୍ରୀବେହେରାଙ୍କ କର୍ତବ୍ୟ ନିଷ୍ଠା, ଏକାଗ୍ରତା ଓ ସମୟାନୁବର୍ତିତାର ସହ କାର୍ଯ୍ୟ ସଂପାଦନ ଶୈଳୀକୁ ପ୍ରଶଂସା କରିବା ସହ ତାଙ୍କର ଅବସରକାଳୀନ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟାଳୟର ବରିଷ୍ଠ ପରାମର୍ଶଦାତା ଦେବେନ୍ଦ୍ର କୁମାର ଜେନା, ଅନୁ ଶାସନ ସଚିବ ଗାୟତ୍ରୀ ସାମନ୍ତରାୟ, ଅନୁ ଶାସନ ସଚିବ ଅଂଶୁମାନ ରଥ, ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଡଃ ଉପାସନା ମହାପାତ୍ର, ଅତିରିକ୍ତ ନିର୍ଦ୍ଦେଶକ (ଆଇନ) ଅଭିପ୍ କାନୁନ୍ଗୋ, ଲୋକ ସଂପର୍କ ଅଧିକାରୀ ପଠାଣି ରାଉତ, ମୁଖ୍ୟ ଶାସନ ସଚିବଙ୍କ ବରିଷ୍ଠ ବ୍ୟକ୍ତିଗତ ସଚିବ ମଦନମୋହନ ଘଡ଼େଇଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଅବସର ଗ୍ରହଣ କରିଥିବା ଶ୍ରୀ ବେହେରାଙ୍କ କର୍ମମୟ ଜୀବନ, କାର୍ଯ୍ୟ ଦକ୍ଷତା, ବିଭିନ୍ନ ବିଭାଗ ସହ ସୁସମନ୍ୱୟ ରଖ୍ କାର୍ଯ୍ୟ ସଂପାଦନା ଶୈଳୀ ସମସ୍ତଙ୍କୁ ପ୍ରଭାବିତ ଓ ଅନୁପ୍ରାଣିତ କରିଥିଲା ବୋଲି ପ୍ରକାଶ କରିବା ସହ ତାଙ୍କର ଅବସର ସୁଖମୟ ଜୀବନ କାମନା କରିଥିଲେ ।
ଅବସରକାଳୀନ ସମ୍ବର୍ଦ୍ଧନା ଅବସରରେ ଶ୍ରୀ ବେହେରା କହିଥିଲେ ଯେ, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଭଳି ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ତାଙ୍କ ପାଇଁ ଗୌରବର କଥା ଥିଲା । କାର୍ଯ୍ୟକାଳ ସମୟରେ ସମସ୍ତଙ୍କର ସ୍ନେହ, ସଦିଚ୍ଛା ଓ ଭଲପାଇବା ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ଉପଲକ୍ଷେ ଶ୍ରୀଯୁକ୍ତ ବେହେରାଙ୍କୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପ୍ରତିମୂର୍ତୀ ସ୍ମାରକୀ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବଦ୍ଧିତ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ଶ୍ରୀ ବେହେରାଙ୍କର ଅବସରକାଳୀନ ଜୀବନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା