
ଭୁବନେଶ୍ୱର, 1 ଜୁନ (ହି.ସ) ରାଜ୍ୟସଭା ଉପନିର୍ବାଚନ ପାଇଁ ନିଯୁକ୍ତ ହେଲେ ରିଟର୍ଣ୍ଣିଂ
ଅଫିସର୍ । ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ମେ 25 ତାରିଖ ଦିନ ତାଙ୍କ ରାଜ୍ୟସଭା ସଦସ୍ୟ
ପଦବୀରୁ ଇସ୍ଥପା ପ୍ରଦାନ କରିଥିଲେ । ସେହି ଖାଲି ପଡିଥିବା ଗୋଟିଏ ପଦବୀ ପୂରଣ କରିବା ପାଇଁ
ଭାରତର ନିର୍ବାଚନ ଆୟୋଗ ଆଜି ଏକ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ଉପ-ନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର୍
ଦିଆଯାଇଛି । ଓଡ଼ିଶା ବିଧାନସଭାର ଯୁଗ୍ମ ସଚିବ ଶ୍ରୀ
ବିଦ୍ୟାଧର ମାଝିଙ୍କୁ ସହାୟକ ରିଟର୍ଣ୍ଣିଂ ଅଧ୍ବକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି
ପ୍ରଦାନ କରିଛନ୍ତି ।
ପ୍ରାର୍ଥୀପତ୍ର ସରକାରୀ ଛୁଟିଦିନ ବ୍ୟତୀତ ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା
ମଧ୍ୟରେ ଦାଖଲ କରାଯାଇପାରିବ । 8 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି ।
ପ୍ରାର୍ଥୀପତ୍ର ଯାଞ୍ଚ ଜୁନ 9 (ମଙ୍ଗଳବାର) ପୂର୍ବାହ୍ଣ ଘ.୧୧.୩୦ମିନିଟ୍ ସମୟରେ ଓଡ଼ିଶା
ବିଧାନସଭା ସୌଧର ସମ୍ମିଳନୀ କକ୍ଷ (ତଳ ମହଲା)ରେ କରାଯିବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଜୁନ 11
(ଗୁରୁବାର) ଅପରାହ୍ନ ୩ ଘଟିକା ପୂର୍ବରୁ କରାଯାଇ ପାରିବ ।
ଯଦି ନିର୍ବାଚନ ପ୍ରତିଦ୍ଵନ୍ଦିତାମୂଳକ ହୁଏ ତେବେ ଜୁନ 18 (ଗୁରୁବାର) ପୂର୍ବାହ୍ନ ୯ ଘଟିକା
ଠାରୁ ଅପରାହ୍ନ ୪ ଘଟିକା ମଧ୍ୟରେ ଓଡ଼ିଶା ବିଧାନସଭା ସୌଧର କମିଟି ପ୍ରକୋଷ୍ଠ ନଂ- ୫୪ରେ ଭୋଟ
ଗ୍ରହଣ କରାଯିବ ଓ ସେହି ଦିନ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ ।ଏହି ନିର୍ବାଚନର
ସମସ୍ତ ପ୍ରକ୍ରିୟା ଜୁନ 20 ସୁଦ୍ଧାଶେଷ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା