
ଜୟପୁର, ୧ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲାରେ ଥିବା ୨ଟି ରକ୍ତଭଣ୍ଡାରରେ ଦିନକୁ ଦିନ ରକ୍ତର ଅଭାବ ଦେଖା ଦେଇଛି । ଯାହାଫଳରେ ରୋଗୀ ଓ ସେମାନଙ୍କ ପରିବାର ଲୋକ ସମସ୍ୟାରେ ପଡିବା ସହ ଚିନ୍ତା ବଢ଼ିବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ରକ୍ତଦାନ ଶିବିର ଧିମେଇ ଯାଇଥିବା ଜଣାଯାଇଛି । ବିଶେଷ କରି ଜରୁରୀ ଅସ୍ତ୍ରୋପଚାର, ପ୍ରସବ, ଦୁର୍ଘଟଣା ଓ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଆବଶ୍ୟକ ରକ୍ତ ମିଳିବା କଷ୍ଟକର ହୋଇପଡ଼ିଛି । ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ରକ୍ତ ପାଇଁ ଏଣେତେଣେ ଦୌଡ଼ାଦୌଡ଼ି କରୁଥିବା ଲକ୍ଷ୍ୟ କରାଯାଇଛି ।
ସୂଚନା ଅନୁସାରେ, ଜିଲ୍ଲାର ଦୁଇଟି ପ୍ରମୁଖ ସରକାରୀ ରକ୍ତଭଣ୍ଡାର ଗୁଡ଼ିକରେ ବର୍ତ୍ତମାନ ବିଭିନ୍ନ ଗ୍ରୁପର ରକ୍ତର ଷ୍ଟକ୍ ଆବଶ୍ୟକତା ତୁଳନାରେ ବହୁତ କମ୍ ରହିଛି । ବିଶେଷ କରି ଇ-ନେଗେଟିଭ ଭଳି ଦୁର୍ଲଭ ଗ୍ରୁପର ରକ୍ତ ପ୍ରାୟ ଅନୁପଲବ୍ଧ ହୋଇଯାଇଛି । ଅନେକ ସମୟରେ ରକ୍ତଭଣ୍ଡାରରେ ରକ୍ତ ନ ଥିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ନିଜେ ଦାତା ଖୋଜିବାକୁ ପଡ଼ୁଛି । କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ବହୁ ସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ରକ୍ତର ଚାହିଦା ମଧ୍ୟ ବଢ଼ିଛି । ଥାଲାସେମିଆ, ସିକେଲ ସେଲ, ରକ୍ତହୀନତା ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ରୋଗୀମାନେ ନିୟମିତ ଭାବେ ରକ୍ତ ଆବଶ୍ୟକ କରୁଥିବାରୁ ଉପଲବ୍ଧ ରକ୍ତ ଶୀଘ୍ର ଶେଷ ହୋଇଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଗ୍ରୀଷ୍ମ ଋତୁ ଓ ବର୍ଷା ଆରମ୍ଭ ସମୟରେ ସାଧାରଣତଃ ରକ୍ତଦାନ ଶିବିର କମ୍ ହେବା ସହ ରକ୍ତଦାତାଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଥାଏ । ଏହା ରକ୍ତଭଣ୍ଡାରରେ ରକ୍ତ ସଂକଟର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଅନ୍ୟପଟେ, ସଚେତନତାର ଅଭାବ ଯୋଗୁଁ ଅନେକ ଯୁବକ ରକ୍ତଦାନ ପ୍ରତି ଆଗ୍ରହ ଦେଖାଉନଥିବା ମଧ୍ୟ ଏହି ସମସ୍ୟାକୁ ବଢ଼ାଇଛି । ସାମାଜିକ କର୍ମୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ରକ୍ତ ସଂକଟ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ନିୟମିତ ରକ୍ତଦାନ ଶିବିର ଆୟୋଜନ କରିବା ସହ ଲୋକଙ୍କୁ ସଚେତନ କରିବାକୁ ଦାବି କରିଛନ୍ତି । କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ସଂଗଠନ ସହଯୋଗରେ ବ୍ୟାପକ ରକ୍ତଦାନ ଅଭିଯାନ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ରୋଗୀଙ୍କ ପରିବାର ଲୋକେ କହିଛନ୍ତି ଯେ, ଜରୁରୀ ସମୟରେ ରକ୍ତ ନ ମିଳିବା ଏକ ଗୁରୁତର ସମସ୍ୟା । ଅନେକ ଗରିବ ପରିବାର ରକ୍ତ ଯୋଗାଡ଼ କରିବା ପାଇଁ ଦିନ ଦିନ ଧରି ହସ୍ପିଟାଲ ଓ ରକ୍ତଭଣ୍ଡାର ଚକ୍କର କାଟୁଛନ୍ତି । ତେଣୁ ରକ୍ତ ସଂଗ୍ରହ ବୃଦ୍ଧି ପାଇଁ ସରକାର ଓ ସମାଜର ସମସ୍ତ ବର୍ଗ ଆଗେଇ ଆସିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି । କୋରାପୁଟ ଜିଲାରେ ଦେଖାଦେଇଥିବା ଏହି ରକ୍ତ ସଂକଟ କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମସ୍ୟା ନୁହେଁ, ବରଂ ସମାଜର ସାମୂହିକ ଦାୟିତ୍ୱର ପ୍ରତିଫଳନ । ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ସ୍ୱାସ୍ଥ୍ୟ ମହଲରେ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମସ୍ୟାକୁ ଗୁରୁତ୍ୱର ସହ ନେବା ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି