
- ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ
-ଖୁବ୍ଶୀଘ୍ର ୧୭୨୧ କୋଟି ମୂଲ୍ୟର ୪୯ଟି ପ୍ରକଳ୍ପର ହେବ ଲୋକାର୍ପଣ
ଭୁବନେଶ୍ୱର, ୦୧ ଜୁନ (ହି.ସ) - ୫୦ କୋଟିରୁ ଅଧିକ ବ୍ୟୟ ଅଟକଳ ଥିବା ୪୮ ଗୋଟି ଜାତୀୟ ରାଜପଥର ଅଗ୍ରଗତି ନେଇ ସୋମବାର ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରପୂର୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ କେନ୍ଦ୍ର ସରକାର ସବୁବେଳେ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ଦେବାକୁ ପ୍ରସ୍ତୁତ ଅଛନ୍ତି । ବର୍ତମାନ ରାଜ୍ୟରେ ଅନେକ ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ଥିବାବେଳେ ଆଗକୁ ଆହୁରି ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
୧୭୨୧ କୋଟି ମୂଲ୍ୟର ୪୯ଟି ପ୍ରକଳ୍ପ ନିକଟରେ ଶେଷ ହୋଇଛି, ଯାହା ଖୁବ୍ଶୀଘ୍ର ଲୋକାର୍ପିତ ହେବ । ସେହିପରି ୧୨୧୦୨ କୋଟି ମୂଲ୍ୟର ୪୭ଟି ନୂଆ ପ୍ରକଳ୍ପର ଭିତିପ୍ରସ୍ତର ଖୁବ୍ଶୀଘ୍ର ସ୍ଥାପନ ହେବାକୁ ଯାଉଛି ବୋଲି ସେ ପ୍ରକାଶ କରିଥିଲେ ।
ବୈଠକରେ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ, ୟୁଟିଲିଟି ସିଫ୍ଟିଂ, ସଠିକ୍ ପ୍ଲାନିଂ ଓ ଡିଜାଇନ୍ ସହ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ପାଇଁ ଆମକୁ ଅଧିକ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ ।
ଆଜିର ବୈଠକରେ ୩୦ଟି ଚାଲୁ ରହିଥିବା ପ୍ରକଳ୍ପ, ୧୪ଟି କାର୍ଯ୍ୟାଦେଶ ହେବାକୁ ଥିବା ପ୍ରକଳ୍ପ ଏବଂ ୪ଟି ଟେଣ୍ଡର ପ୍ରକ୍ରିୟାରେ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା । ଏଥି ମଧ୍ୟରେ ଭଞ୍ଜନଗରରୁ ଆସ୍କା ରୋଡ୍, ରିଆମାଳ ବାଇପାସ୍ ରୋଡ୍, ବ୍ରହ୍ମପୁର ବାଇପାସ୍, ଖରିଆର ରୋଡ୍ ଆରଓବି, ପୁରୀ-ମାଟିଆପଡ଼ା ଆରଓବି, ନୟାଗଡ଼ ବାଇପାସ୍, କେସିଙ୍ଗା ଆରଓବି, ମାଲକାନଗିରି-ମୋଟୁ ରାସ୍ତାରେ ଥିବା ହାଇଲେବୁଲ୍ ବ୍ରିଜ, କନ୍ଦରପୁର-ବାଲିକୁଦା ରାସ୍ତା, କୋଟପାଡ଼ ବାଇପାସ ରାସ୍ତା, କୁଆଖିଆ-ମଙ୍ଗଳପୁର ରାସ୍ତା, ଟିଟିଲାଗଡ଼ ବାଇପାସ୍ ରାସ୍ତା, ବୈତରଣୀ ନଦୀରେ ହାଇଲେବୁଲ୍ ବ୍ରିଜ, ନବରଙ୍ଗପୁର ବାଇପାସ, ତେଲ ନଦୀରେ ହାଇଲେବୁଲ୍ ବ୍ରିଜ, ଝାରସୁଗୁଡ଼ା ବାଇପାସ ରାସ୍ତା, ରାଇରଙ୍ଗପୁର ବାଇପାସ୍, ଦଶପଲ୍ଲା ବାଇପାସ୍ ଆଦି ଚାଲୁଥିବା ପ୍ରକଳ୍ପ ରହିଥିଲା । ଏଥି ସହିତ କାର୍ଯ୍ୟାଦେଶ ହେବାକୁ ଥିବା ଏବଂ ଟେଣ୍ଡର ପ୍ରକ୍ରିୟାରେ ଥିବା ପ୍ରକଳ୍ପ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ପୂର୍ତ ବିଭାଗର ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ଏଲ୍.କେ. ପାଢ଼ୀ, ଅର୍ଥ ପରାମର୍ଶଦାତା ଶ୍ରୀ ରତୀକାନ୍ତ ମହାପାତ୍ର, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ-୧ ଇଂ ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ-୨ ଇଂ ଦୀପକ କୁମାର ପାଣିଗ୍ରାହୀଙ୍କ ସମେତ ବିଦ୍ୟୁତ ବିଭାଗ, ଓପିଟିସିଏଲ୍, କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀ, ବିଭିନ୍ନ ଜୋନ୍ ର ଅଧୀକ୍ଷଣ ଯନ୍ତ୍ରୀ ଏବଂ ଠିକା ସଂସ୍ଥାର କାର୍ଯ୍ୟନିର୍ବାହୀମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା