ଆପ ପକ୍ଷରୁ ସିଡିଏମଓଙ୍କୁ ୧୨ ଦଫା ଦାବିପତ୍ର
ପୁରୀ, ୨ ଜୁନ୍ (ହି.ସ.)- ପୁରୀ ଜିଲ୍ଲାବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରୁନାହାଁନ୍ତି | ଦୀର୍ଘ ଦିନ ଧରି ନୂତନ ମେଡିକାଲ କୋଠା ନିର୍ମାଣ ଏବଂ ନିର୍ମାଣ ହୋଇସାରିଥିବା ମେଡିକାଲ୍ କଲେଜ ଆରମ୍ଭ ହୋଇପାରିନଥିବାରୁ ଉତ୍ତମ ଚିକିତ୍ସା ସୁବିଧା ପାଇବା ପୁରୀ ଜିଲ୍ଲା ବାସୀ
ଆପ ପକ୍ଷରୁ ସି ଡି ଏମ ଓ ଙ୍କୁ ୧୨ଦଫା ଦାବିପତ୍ର


ପୁରୀ, ୨ ଜୁନ୍ (ହି.ସ.)- ପୁରୀ ଜିଲ୍ଲାବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରୁନାହାଁନ୍ତି | ଦୀର୍ଘ ଦିନ ଧରି ନୂତନ ମେଡିକାଲ କୋଠା ନିର୍ମାଣ ଏବଂ ନିର୍ମାଣ ହୋଇସାରିଥିବା ମେଡିକାଲ୍ କଲେଜ ଆରମ୍ଭ ହୋଇପାରିନଥିବାରୁ ଉତ୍ତମ ଚିକିତ୍ସା ସୁବିଧା ପାଇବା ପୁରୀ ଜିଲ୍ଲା ବାସୀଙ୍କ ପାଇଁ ସ୍ବପ୍ନ ହୋଇଯାଇଛି । ଅନେକ ରୋଗୀ ଆବଶ୍ୟକ ଚିକିତ୍ସା ସୁବିଧା ନ ପାଇ ଭୁବନେଶ୍ୱର ଓ କଟକକୁ ରେଫର ହେଉଛନ୍ତି | କେତେକ କ୍ଷେତ୍ରରେ ରାସ୍ତାରେ ମୃତ୍ୟୁବରଣ କରୁଛନ୍ତି। ଏହା ପୁରୀ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ଦୁଃଖଦ ଚିତ୍ର।

ବର୍ତ୍ତମାନ କାର୍ଯ୍ୟରତ ପୁରୁଣା ହସ୍ପିଟାଲରେ ରୋଗୀ ଓ ସେମାନଙ୍କ ପରିଜନମାନେ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମ ଆଦମି ପାର୍ଟି (ଆପ )ପକ୍ଷରୁ ୧୨ ଦଫା ସମ୍ବଳିତ ଦାବିପତ୍ର ମଙ୍ଗଳବାର ଦିନ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି ।

ହସ୍ପିଟାଲର ନିରାମୟ, ୬ ତାଲା, କ୍ୟାମ୍ପସ, କ୍ୟାଜୁଆଲିଟି ଓ ଅନ୍ୟାନ୍ୟ ବିଭାଗରେ ପ୍ରାୟ ୧୫୦ଟି ନୂତନ ଫ୍ୟାନ ସ୍ଥାପନ କରାଯାଉ।

କ୍ୟାଜୁଆଲିଟି, ହିଟ୍ ଷ୍ଟ୍ରୋକ, ଅର୍ଥୋପେଡିକ୍, ଚକ୍ଷୁରୋଗ ବିଭାଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ୱାର୍ଡରେ ୧୦ଟି ଏୟାର କଣ୍ଡିସନର (ଏ ସି ) ସ୍ଥାପନ କରାଯାଉ। ହସ୍ପିଟାଲ କ୍ୟାମ୍ପସ ଓ ବିଭିନ୍ନ ୱାର୍ଡରେ ୭ଟି ୱାଟର ପ୍ୟୁରିଫାୟର ସ୍ଥାପନ ସହ ପ୍ରତ୍ୟେକ ପ୍ୟୁରିଫାୟର ତଳେ ଏକ ବେସିନ ବ୍ୟବସ୍ଥା କରାଯାଉ। ୬ ତାଲାର ଆଲୋକ ବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବାରୁ ସେଠାରେ ଉନ୍ନତମାନରଏଲ ଇ ଡି ଲାଇଟ୍ ସ୍ଥାପନ କରାଯାଉ।

କ୍ୟାଜୁଆଲିଟିରୁ ୱାର୍ଡକୁ ଯିବା ରାସ୍ତାରେ ଚାଲିଥିବା ସିଲିଂ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯାଉ। ୬ ତାଲାରେ ପରିଚାଳନା ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବାରୁ ଏହାର ତଦନ୍ତ କରାଯାଇ ଦାୟୀ କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯାଉ। ମହିଳା ୱାର୍ଡରେ ସ୍ୱଚ୍ଛତା, ସୁରକ୍ଷା ଓ ମୌଳିକ ସୁବିଧାର ଅଭାବ ଦୂର କରି ତୁରନ୍ତ ଉନ୍ନତିମୂଳକ ପଦକ୍ଷେପ ନିଆଯାଉ। ରୋଗୀଙ୍କ ପରିଜନମାନେ ବିଭିନ୍ନ ପ୍ରଶାସନିକ ଓ ମୌଳିକ ସମସ୍ୟା ଯୋଗୁଁ ହଇରାଣ ହେଉଥିବାରୁ ସେମାନଙ୍କ ସୁବିଧା ପାଇଁ ଉଚିତ ବ୍ୟବସ୍ଥା କରାଯାଉ। ସର୍ଜରୀ ୱାର୍ଡ ପଛପଟେ ଡ୍ରେନ ପାଣି ଓ ଆବର୍ଜନା ଦୀର୍ଘଦିନ ଧରି ଜମି ରହିଥିବାରୁ ତୁରନ୍ତ ସଫେଇ କରାଯାଇ ନିୟମିତ ପରିଚ୍ଛନ୍ନତା ବ୍ୟବସ୍ଥା କରାଯାଉ। କିଛି ଡାକ୍ତର ଦୀର୍ଘ ବର୍ଷ ଧରି ପୁରୀରେ କାର୍ଯ୍ୟରତ ଥିବାରୁ ସରକାରୀ ଚିକିତ୍ସାରେ ଅବହେଳା ଏବଂ ବେସରକାରୀ ଚିକିତ୍ସାଳୟକୁ ଯିବା ପାଇଁ ପରୋକ୍ଷ ପ୍ରୋତ୍ସାହନ ଦିଆଯାଉଥିବା ନେଇ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଆସୁଛି। ତେଣୁ ୧୦ ବର୍ଷରୁ ଅଧିକ ସମୟ ଧରି ପୁରୀରେ କାର୍ଯ୍ୟରତ ଡାକ୍ତରମାନଙ୍କ ବଦଳି କରାଯାଇ ଅଭିଜ୍ଞ ଓ ଦକ୍ଷ ଡାକ୍ତରଙ୍କ ନିଯୁକ୍ତି କରାଯାଉ। ପୁରୀରେ ହୃଦରୋଗ ବିଭାଗ ଓ ସ୍ନାୟୁରୋଗ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଜରୁରୀକାଳୀନ ପରିସ୍ଥିତି ବାରମ୍ବାର ସୃଷ୍ଟି ହେଉଥିବାରୁ ଏହି ବିଭାଗଗୁଡ଼ିକରେ ସ୍ଥାୟୀ ଭାବରେ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ଯଥାଶୀଘ୍ର କରାଯାଉ।

ପୁରୀ ମେଡିକାଲରେ କାର୍ଯ୍ୟରତ ଡାକ୍ତର ସଂଖ୍ୟା ଡିଉଟି ସମୟରେ ଉପସ୍ଥିତ ସଂଖ୍ୟା ସବୁବେଳେ କମ୍ ରହିଛି । ବେଳେବେଳେ ଜରୁରୀକାଳୀନ ସ୍ଥିତିରେ କେହି ବି ଡାକ୍ତର ଉପସ୍ଥିତ ରହୁନଥିବା ବାରମ୍ବାର ଅଭିଯୋଗ ହେଉଛି । ତେଣୁ ଘଟଣାକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହ ଡ୍ୟୁଟି ସମୟରେ ଡାକ୍ତରଙ୍କ ଉପସ୍ଥିତ ନିଶ୍ଚିତ କରିବାକୁ ଅନୁରୋଧ |

ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ନ କରାଗଲେ ରୋଗୀ ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିବ। ଦାବିଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆପ ଦାବି କରିଛି | ଜନସ୍ୱାର୍ଥ ପାଇଁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଆପ ବାଧ୍ୟ ହେବ ବୋଲି ଜିଲ୍ଲା ସମ୍ପାଦକ ସତ୍ୟଜିତ୍ ମହାନ୍ତି କହିଛନ୍ତି । ଚିକିତ୍ସାଳୟ ଏବେ ପାଲଟିଲାଣି ଯମାଳୟ ବୋଲି ରୋଗୀମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳିଲାଣି |

ଆଜିର କାର୍ଯ୍ୟକ୍ରମରେ ପୁରୀ ନଗର ସଭାପତି ରମାକାନ୍ତ ସ୍ୱାଇଁ, ଯୁବ ସଂଗଠକ ଜନ୍ମେଜୟ ଜେନା ଏବଂ ଅମନ୍ ମହାପାତ୍ର ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande