
କନ୍ଧମାଳ, ୨ ଜୁନ୍ (ହି.ସ.)- ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା ୯ ତାରିଖ ଠାରୁ ସାଧାରଣ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ଅଲଟ୍ରାସାଉଣ୍ଡ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଏହା ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏପରି ୩ ଦିନ ଧରି ଏହି ସେବା ମିଳିବ ବୋଲି ଆଜି ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ବହୁ ପ୍ରତିକ୍ଷୀତ ଏହି ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ପାଇଁ ଦୀର୍ଘ ଦିନ ହେଲା ଦାବୀ ହୋଇ ଆସୁଥିଲା। କେବଳ ପ୍ରସୂତୀ ବିଭାଗରେ ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ ଅଲଟ୍ରାସାଉଣ୍ଡ ବ୍ୟବହୃତ ହେଉଥିଲା। ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବର୍ତମାନର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ସନ୍ତୋଷ କୁମାର ପାଢ଼ୀଙ୍କ ଆନ୍ତରିକତା ଯୋଗୁଁ ଛତ୍ରପୁର ସ୍ଥିତ ବିରଳ ମୃତିକା (ଆଇ ଆର ଇ) ସଂସ୍ଥା ପକ୍ଷରୁ ଅଲଟ୍ରାସାଉଣ୍ଡ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା। ତେବେ ବିଭିନ୍ନ ଆଇନଗତ ସମସ୍ୟା ଯୋଗୁଁ ଏହା ପ୍ରତିଷ୍ଠା ତଥା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଘଟିଥିଲା। ତେବେ ଆଜିର ନିଷ୍ପତି ପରେ ଜନସାଧାରଣ ଆଶ୍ବସ୍ତି ଲାଭ କରିଛନ୍ତି। ଏଣିକି କନ୍ଧମାଳର ଜନସାଧାରଣ ଏହି ସୁବିଧାର ଲାଭ ଉଠାଇପାରିବେ ବୋଲି ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ