କବିସୂର୍ଯ୍ୟନଗର ହାଜତ ମୃତୁ୍ୟ ଘଟଣା ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ: ବିଜେଡି
ଭୁବନେଶ୍ବର , 02 ଜୁନ୍ (ହି.ସ.) -ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଜଣେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କ ସନେ୍ଦହଜନକ ହାଜତ ମୃତୁ୍ୟ ଘଟଣା ନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ମେ ୨୧ ତାରିଖରେ କବିସୂର
କବିସୂର୍ଯ୍ୟନଗର ହାଜତ ମୃତୁ୍ୟ ଘଟଣା ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ: ବିଜେଡି


ଭୁବନେଶ୍ବର , 02 ଜୁନ୍ (ହି.ସ.) -ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଜଣେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କ ସନେ୍ଦହଜନକ ହାଜତ ମୃତୁ୍ୟ ଘଟଣା ନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ମେ ୨୧ ତାରିଖରେ କବିସୂର୍ଯ୍ୟନଗର ଥାନାରେ ଏକ ବେଆଇନ ଖଣି ଖନନ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଶାସକ ଦଳର କିଛି ବ୍ୟକ୍ତିଙ୍କ ନାମ ରହିଥିଲା । କିନ୍ତୁ ପୋଲିସ୍ ସେମାନଙ୍କୁ ପଚାରିବାକୁ ସାହାସ ଜୁଟାଇ ନ ପାରି ନିରୀହ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଥାନାକୁ ଡକାଇ ଦୀର୍ଘ ୬ ଦିନ ଧରି ଅମାନବୀୟ ନିର୍ଯାତନା ଦେଇଥିଲା । ମୃତ ସୁଶାନ୍ତ ସାହୁଙ୍କ ପରିବାର ସଦସ୍ୟଙ୍କ ବୟାନ ଅନୁଯାୟୀ, ସୁଶାନ୍ତଙ୍କ ନାମରେ କୌଣସି ଏଫ୍ଆଇଆର ନଥିବା ସତ୍ତ୍ୱେ ଥାନାରେ ତାଙ୍କୁ ପ୍ରବଳ ମାଡ଼ ମାରି ତାଙ୍କ ଶରୀର ଉପରେ ଲଙ୍କାଗୁଣ୍ଡ ଓ ଗରମ ପାଣି ପକାଇ ଥାର୍ଡଡିଗ୍ରୀ ପ୍ରୟୋଗ କରିଥିଲା ପୋଲିସ୍ । ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା ଓ ଏମକେସିଜି ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତୁ୍ୟ ଘଟିଥିଲା । ଘଟଣାକୁ ଦୁଇ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ପୋଲିସ୍ ଅଧିକାରୀଙ୍କ ବିରୋଧରେ କୌଣସି ଏଫ୍ଆଇଆର ରୁଜୁ କରାଯାଇନାହିଁ । କିଛି କର୍ମଚାରୀଙ୍କୁ ନିଲମ୍ୱନ ଓ ବଦଳି କରିଦେଇ ଚୁପ୍ ହୋଇ ବସିରହିଛନ୍ତି ରାଜ୍ୟ ସରକାର ।

ଶ୍ରୀ ବକ୍ସିପାତ୍ର ଆହୁରି କହିଥିଲେ ଯେ, ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ହେବା ତ ଦୂରର କଥା, ପୋଲିସ୍ର ଏଭଳି ଅପରାଧିକ କାର୍ଯ୍ୟ ଲାଗି ଜିଲ୍ଲାବାସୀ ତଟସ୍ଥ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ରାଜ୍ୟର ପୋଲିସ୍ ବ୍ୟବସ୍ଥା । ଲଗାତାର ଭାବେ ରାଜ୍ୟତମାମ ପୋଲିସ୍ର ଏଭଳି କାର୍ଯ୍ୟ ଦର୍ଶାଉଛି ଯେ, ପୋଲିସ୍ ଡିଜିଙ୍କ କଥାକୁ କେହି ଖାତିର କରୁନାହାନ୍ତି, ତେଣୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ । ପୋଲିସ୍ ଡିଜି, ଦକ୍ଷିଣାଞ୍ଚଳ ଆଇଜି, ଗଞ୍ଜାମ ଓ ବ୍ରହ୍ମପୁର ଏସ୍ପି ତଥା କବିସୂର୍ଯ୍ୟନଗର ଆଇଆଇସି ସମସ୍ତେ ଅଣଓଡ଼ିଆ ହୋଇଥିବାରୁ ଆଜି ଜଣେ ନିରୀହ ଭିନ୍ନକ୍ଷମ ଓଡ଼ିଆ ଯୁବକଙ୍କୁ ପୋଲିସ୍ ହାଜତରେ ମୃତୁ୍ୟବରଣ କରିବାକୁ ପଡ଼ିଲା । ଏହା ହେଉଛି ରାଜ୍ୟ ବିଜେପି ସରକାରଙ୍କ ଓଡ଼ିଆ ଅସ୍ମିତାର ପରିଚୟ । ଘଟଣାରେ ସମ୍ପୃକ୍ତ ସମସ୍ତ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ ଏବଂ ସୁଶାନ୍ତ ସାହୁଙ୍କ ପରିବାରକୁ ସରକାର ଉପଯୁକ୍ତ କ୍ଷତିପୂରଣ ଦେବା ସହ ଦୀର୍ଘମିଆଦି ସାମାଜିକ ସୁରକ୍ଷା ପ୍ରଦାନ କରନ୍ତୁ । ଘଟଣାର ସମସ୍ତ ତଥ୍ୟ ସାର୍ବଜନୀନ କରି ଲୋକଙ୍କ ମନରୁ ସନେ୍ଦହ ଦୂର କରନ୍ତୁ ସରକାର । ଯଦି ସୁଶାନ୍ତ ସାହୁଙ୍କ ପରିବାରକୁ ସରକାର ନ୍ୟାୟ ନ ଦିଅନ୍ତି, ତେବେ ପରିବାରକୁ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ ତାହାର ଲଢ଼େଇ ଜାରି ରଖିବ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଦଳର ସାଧାରଣ ସମ୍ପାଦିକା (ମହିଳା ବ୍ୟାପାର) ଶ୍ରୀମତୀ ରଞ୍ଜିତା ସାହୁ ଓ ଗଞ୍ଜାମ ଜିଲ୍ଲା ଯୁବ ସଭାପତି ଶ୍ରୀ ନଚିକେତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande