ସ୍ୱାଗତ ଗେଟ୍ ନିର୍ମାଣକୁ ନେଇ ବିଜେଡିର ଅଭିଯୋଗ ଉପରେ ବିଜେପିର ପଲଟା ଜବାବ
BJP counter attack to BJD
ସ୍ୱାଗତ ଗେଟ୍ ନିର୍ମାଣକୁ ନେଇ ବିଜେଡିର ଅଭିଯୋଗ ଉପରେ ବିଜେପିର ପଲଟା ଜବାବ


ଝାରସୁଗୁଡ଼ା, ୦୨ ଜୁନ୍ (ହି.ସ.) - ଝାରସୁଗୁଡ଼ା ସହରରେ ବିଭିନ୍ନ ସ୍ୱାଗତ ଗେଟ୍ ନିର୍ମାଣକୁ ନେଇ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରସଙ୍ଗରେ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଝାରସୁଗୁଡ଼ା ଟାଉନ ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଳ ଏକ ପ୍ରେସ ବିବୃତି ଜାରି କରି ବିଜେଡିର ଅଭିଯୋଗକୁ ଭିତିହୀନ ବୋଲି କହିଛନ୍ତି।

ପ୍ରେସ ବିବୃତିରେ ଶ୍ରୀ ଭୋଳ କହିଛନ୍ତି ଯେ, ପୂର୍ବତନ ବିଜେଡି ସରକାର ସମୟରେ ଝାରସୁଗୁଡ଼ାର ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ହୋଇନଥିଲା। ସେ କଲେକ୍ଟର କାର୍ଯ୍ୟାଳୟ ପଛପଟ ଅଂଚଳ, ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ନେଇ ପୂର୍ବ ସରକାର ଏବଂ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ସମାଲୋଚନା କରିଛନ୍ତି।

ବିଜେପି ପକ୍ଷରୁ କୁହାଯାଇଛି ଯେ, ସହରରେ ନିର୍ମାଣାଧୀନ ସ୍ୱାଗତ ଗେଟ୍ଗୁଡ଼ିକ ଝାରସୁଗୁଡ଼ାର ସାଂସ୍କୃତିକ ପରମ୍ପରା ଓ ଧାର୍ମିକ ଐତିହ୍ୟର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଛି। ବାବା ଝାଡ଼େଶ୍ୱର ଓ ମା’ ଅନ୍ଧେରୀଙ୍କ ମହିମା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଦଳ ଦାବି କରିଛି।

ବିବୃତିରେ ଆହୁରି କୁହାଯାଇଛି ଯେ, ବର୍ତମାନର ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଝାରସୁଗୁଡ଼ାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି ବିକାଶମୂଳକ ପଦକ୍ଷେପକୁ ବିରୋଧୀ ଦଳ ସହ୍ୟ କରିପାରୁନଥିବାରୁ ଅଯଥା ଅଭିଯୋଗ ଉଠାଉଥିବା ବିଜେପି ଅଭିଯୋଗ କରିଛି।

ସୂଚନାଯୋଗ୍ୟ ଯେ, ସ୍ୱାଗତ ଗେଟ୍ ନିର୍ମାଣକୁ ନେଇ ବିଜେଡି ପକ୍ଷରୁ ପୂର୍ବରୁ ଆପତି ଉଠାଯାଇଥିଲା ଏବଂ ଏହା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande